Latest Odisha News

BREAKING NEWS

ସମାକୋଇ-ଚକଦର ପ୍ରକଳ୍ପକୁ ବିରୋଧ, ୧୨ ଘଣ୍ଟିଆ ତେଲକୋଇ ବନ୍ଦ

ତେଲକୋଇ: କେନ୍ଦୁଝର ଜିଲ୍ଲାରେ ତେଲକୋଇରେ ସମାକୋଇ-ଚକଦର ପ୍ରକଳ୍ପକୁ ନେଇ ଗାଁ ଗାଁରେ ବିରୋଧର ସ୍ବର ଉଠିଛି। ଆଜି ସମାକୋଇ ଜଳ ସେଚନ ପ୍ରକଳ୍ପକୁ ବିରୋଧ କରି ତେଲକୋଇ ବନ୍ଦ ଡାକରା ଦେଇଛି। ଚକଧର ପ୍ରକଳ୍ପ ବନ୍ଦ ସମନ୍ବୟ ସମିତି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡକରା। ପ୍ରକଳ୍ପ ଦ୍ବାରା କିଛି ଗାଁ ଜଳମଗ୍ନ ହେବା ଆଶଙ୍କାରେ ବିରୋଧ କରାଯାଇଛି।

ଫଳରେ ଆଜି ଦୋକାନ, ବଜାର ବନ୍ଦ ସହ ଯାନବାହାନ ଚଳାଚଳ ବନ୍ଦ ହୋଇଛି। ଲୋକଙ୍କ ସହ ସ୍ଥାନୀୟ ବିଧାୟକ ଡାକ୍ତର ଫକୀର ମୋହନ ନାଏକ ମଧ୍ୟ ସ୍ବର ମିଳାଇଛନ୍ତି। ଏନେଇ ବିଧାୟକଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ କିଛିଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମଧ୍ୟ ଭେଟିସାରିଛନ୍ତି। ଏହାପରଠାରୁ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ ପାଇଁ ପାଗଭିଡ଼ିଛନ୍ତି। ପ୍ରତି ଗାଁରେ ପ୍ରତିବାଦ ସଭା କରି ସମାକୋଇ-ଚକଦର ପ୍ରକଳ୍ପ ବନ୍ଦ ସମନ୍ୱୟ କମିଟି ପକ୍ଷରୁ ଜନସମର୍ଥନ ଗୋଟାଯାଇଛି।

ସୂଚନା ଥାଉକି ଯେ ଏହି ପ୍ରକଳ୍ପ ଜରିଆରେ ଅନୁଗୁଳ ଜିଲ୍ଲାର ପାଳଲହଡ଼ା ଓ କଣିହାଁ ବ୍ଲକ୍‌ର ୯୨ ଟି ଗ୍ରାମର ୯୯୯୦ ହେକ୍ଟର ଜମିକୁ ଜଳସେଚନ ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିରେ କେନ୍ଦୁଝର ଜିଲ୍ଲାର କୌଣସି ଅଞ୍ଚଳ ଜଳସେଚନ ହୋଇପାରିବ ନାହିଁ। ମାତ୍ର ଏହାଦ୍ବାରା ତେଲକୋଇ ବ୍ଲକ୍‌ର କରଦାଙ୍ଗି, ସାପଲାଞ୍ଜି ଗ୍ରାମର ୪୧୬ ହେକ୍ଟର ଚାଷଜମି (୧୬୦ ହେକ୍ଟର), ଜଙ୍ଗଲଜମି (୮୬ ହେକ୍ଟର), ପତିତ ଜମି (୧୭୦ ​ହେକ୍ଟର) ବୁଡ଼ିବ ବୋଲି କୁହାଯାଉଛି। ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ସମାକୋଇ ବର୍ଷାଦିନରେ ପ୍ରଖର ସ୍ରୋତରେ ପ୍ରବାହିତ ହୋଇଥାଏ କିନ୍ତୁ ଖରାଦିନେ ଶୁଖିଲା ପଡ଼ିଥାଏ। ଏଣୁ ପ୍ରକଳ୍ପ ପାଇଁ ବହୁ ଜଳଧାରଣ କ୍ଷମତାବିଶିଷ୍ଟ ବନ୍ଧ ନିର୍ମାଣ ହେବ।

ଏହା ତେଲକୋଇ ଅଞ୍ଚଳର ବହୁ କ୍ଷତି କରିବ। ବରଂ ତେଲକୋଇର ହାତୀମୁଣ୍ଡାଠାରେ ଯଦି ଉପରସମାକୋଇ ପ୍ରକଳ୍ପ ନିର୍ମାଣ କରାଯାଏ ତେବେ ଉଭୟ କେନ୍ଦୁଝର ଓ ଅନୁଗୁଳ ଜିଲ୍ଲାର ଲୋକେ ଉପକୃତ ହୋଇପାରିବେ। ମାତ୍ର ସରକାର ତାହା ନକରି ଚକଦର ପ୍ରକଳ୍ପ ନିମନ୍ତେ ବଜେଟରେ ଅର୍ଥ ବ୍ୟବସ୍ଥା କରିଥିବାରୁ ଜନଅସନ୍ତୋଷ ବଢ଼ିଚାଲିଛି। ଏହାକୁ ବିରୋଧ କରାଯାଇ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।

 

Comments are closed.