Latest Odisha News

BREAKING NEWS

ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ; ସକାଳୁ ପିକେଟିଂ ଆରମ୍ଭ, ଟ୍ରେନ ଓ ଯାନବାହନ ଚଳାଚଳ ପ୍ରଭାବିତ

ଭୁବନେଶ୍ୱର: ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ। ଏସସି-ଏସଟି ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ଏହି ବନ୍ଦ ପାଳନ କରୁଛନ୍ତି ବିଭିନ୍ନ ଦଳିତ ସଂଗଠନ। ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ବନ୍ଦ ପ୍ରଭାବ। ପିକେଟିଂ କରି ରାସ୍ତାକୁ ଓହ୍ଲାଇଲେଣି ଆନ୍ଦୋଳନକାରୀ। ତଫସିଲଭୁକ୍ତ ଜାତି(ଏସ୍‌ସି) ଏବଂ ଜନଜାତି(ଏସ୍‌ଟି)ଙ୍କ ମଧ୍ୟରେ ଉପବର୍ଗୀକରଣ ତଥା ସଂରକ୍ଷଣ ନେଇ ଅଗଷ୍ଟ ୧ରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ବିରୋଧ କରି ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ, ସଂଖ୍ୟାଲଘୁ ମିଳିତ କ୍ରିୟାନୁଷ୍ଠାନ କମିଟି ଓ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଆଜି ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ଭାରତ ବନ୍ଦ ଡାକରା ଦିଆଯାଇଛି।

ଓଡ଼ିଶାରେ ମିଳିତ କ୍ରିୟାନୁଷ୍ଠାନ କମିଟି ସହ ବିଭିନ୍ନ ରାଜନୈତିକ ଦଳ ଭାରତ ବନ୍ଦକୁ ସମର୍ଥନ ଜଣାଇଛି। କମିଟି ପକ୍ଷରୁ କୁହାଯାଇଛି ଯେ, ସୁପ୍ରିମକୋର୍ଟଙ୍କ ରାୟ ଅନୁସୂଚିତ ବର୍ଗଙ୍କ ସଂରକ୍ଷଣ ବ୍ୟବସ୍ଥାକୁ ଅକାମୀ କରିଦେବ ଓ ଅଧିକ ସଂଖ୍ୟକ ସାଧାରଣବର୍ଗର ବ୍ୟକ୍ତିମାନେ ଏହା ଦ୍ୱାରା ଉପକୃତ ହେବେ। ସୁପ୍ରିମକୋର୍ଟ ଏସ୍‌ସି, ଏସ୍‌ଟିଙ୍କ ସ୍ଥିତିର ଠିକ୍‌ ଆକଳନ ନକରି ଏବଂ ଏହି ବର୍ଗର ସୁରକ୍ଷା ନିମନ୍ତେ ରହିଥିବା ସାମ୍ବିଧାନିକ ଅନୁଷ୍ଠାନ ଓ ମନ୍ତ୍ରଣାଳୟ ସହ ପରାମର୍ଶ ନକରି ଦେଇଥିବା ରାୟର ପୁନର୍ବିଚାର ପାଇଁ ଦାବି କରାଯାଇଛି। ଆଜି ଭୁବନେଶ୍ୱର ସମେତ ସବୁ ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ପିକେଟିଂ ସହ ମହାପ୍ରତିବାଦ ପ୍ରଦର୍ଶନ ଆରମ୍ଭ ହୋଇଛି ।

ସମ୍ବଲପୁର କ୍ଷେତରାଜପୁର ଷ୍ଟେସନରେ ଆନ୍ଦୋଳନକାରୀମାନେ ଦୁଇଟି ଟ୍ରେନକୁ ଅଟକାଇଛନ୍ତି। ସମ୍ବଲପୁର-ପୁରୀ ଓ ସମ୍ବଲପୁର-ରାୟଗଡ଼ା ଇଣ୍ଟରସିଟି ଏକ୍ସପ୍ରେସକୁ ଅଟକାଇଛନ୍ତି ଆନ୍ଦୋଳନକାର। ସେପଟେ ବଲାଙ୍ଗିର ସହରରେ ଅନୁସୂଚିତ ଜାତି ଓ ଜନଜାତି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପିକେଟିଂ କରାଯାଇଛି। ଜିଲ୍ଲା ମୁଖ୍ୟ ଡାକଘର ସମ୍ମୁଖରେ ସ୍ଲୋଗାନ୍ ଦେଇ ପ୍ରତିବାଦ ଆରମ୍ଭ କରିଛନ୍ତି ଆନ୍ଦୋଳନକାରୀ। ବଲାଙ୍ଗୀର, କୋରାପୁଟ, ସୁବର୍ଣ୍ଣପୁର, ଯାଜପୁର ଓ ଅନୁଗୋଳରୁ ବିଭିନ୍ନ ଦଳିତ ସଂଗଠନ ଏହି ବନ୍ଦରେ ସାମିଲ ହେବା ନେଇ ସମର୍ଥନ ଜଣାଇଛନ୍ତି।

Comments are closed.