କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଆଜି ରାସ୍ତାକୁ ଓହ୍ଲାଇଛି ଜିଲ୍ଲା ବିଜେପି । ଏନେଇ ଜିଲ୍ଲା ରେ ଦଳ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସକାଳ ୬ ଟା ରୁ ସନ୍ଧ୍ୟା ୬ ଟା ଯାଏଁ ଏହି ବନ୍ଦ ପାଳନ କରାଯିବ । ଏହି ବନ୍ଦ ସମୟରେ ଜିଲ୍ଲାରେ କେବଳ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି ।
ଆଜି ସକାଳୁ ସକାଳୁ ଜିଲ୍ଲାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ସମସ୍ତ ଦୋକାନ ବଜାର, ସ୍କୁଲ, ବ୍ୟବସାୟୀକ ପ୍ରତିଷ୍ଠାନ ଓ ଯାନବାହାନ ଆଦି ବନ୍ଦ ରହିଛି । ଗାଡିମଟର ବନ୍ଦ ଫଳରେ ଅନେକ ଯାତ୍ରୀ ହଇରାଣ ହେଉଥିବା ନଜର ଆସିଛନ୍ତି ।
ତେବେ କଳାହାଣ୍ଡି ଜିଲ୍ଲାରେ ଧାନ ଓ କପାର ଅଭାବୀ ବିକ୍ରୀ, ଧାନ କଟନୀ ଛଟନୀ, ସହରାଞ୍ଚଳରେ ବିଦ୍ୟୁତଦର ବୃଦ୍ଧି ନେଇ ପ୍ରତିବାଦ କରିଛି ବିଜେପି । ଏହି ସବୁ ସମସ୍ୟା ଧରି ଗତ କିଛିଦିନ ପୂର୍ବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରେ ଲଗାତାର ଗଣଧାରଣା ଦେଇଥିଲା ଦଳ । ଜିଲ୍ଲାର ସମସ୍ତ ବ୍ଲକ୍ ଏବଂ ଆରଆଇ ଅଫିସ ମଧ୍ୟ ଘେରାଉ କରାଯାଇଥିଲା। ହେଲେ କୌଣସି ସୁଫଳ ନମିଳିବାରୁ ଆଜି ଏହି ବନ୍ଦ ଡାକରା ଦେଇଛି ବିଜେପି ।
ଏହି ବନ୍ଦ ଡାକରା ଶାନ୍ତିଶୃଙ୍ଖଳା ଓ ଅହିଂସା ଉପାୟରେ ହେବା ନେଇ ଦଳ ପକ୍ଷରୁ କୁହାଯାଇଛି ।
Comments are closed.