ବୌଦ୍ଧ: ମହାନଦୀରେ ସୋମବାର ୧୨ଟି ଘଡ଼ିଆଳ କୁମ୍ଭୀର ଛଡାଯାଇଛି । ଏହା ଦ୍ବାରା ମହାନଦୀରେ ଘଡ଼ିଆଳ କୁମ୍ଭୀର ସଂଖ୍ୟା ୩୫ରେ ପହଞ୍ଚିଛି । କୁମ୍ଭୀର ମାନଙ୍କ ଗତିବିଧି ଉପରେ ଲଗାତାର ଭାବେ ନଜର ରଖାଯିବ ପାଇଁ ସମସ୍ତ ୧୨ଟି ଯାକ କୁମ୍ଭୀରଙ୍କ ଦେହରେ ଟ୍ରାକିଂ ମେସିନ୍ ଲଗାଇ ମହାନଦୀରେ ଛଡ଼ା ଯାଇଛି ।
ପ୍ରଥମେ ଘଡ଼ିଆଳ କୁମ୍ଭୀର ମାନଙ୍କ ନନ୍ଦନକାନନରେ ଦୀର୍ଘ ସମୟ ଧରି ପାଳନ କରିବା ପରେ ପ୍ରତ୍ୟେକ ପର୍ଯ୍ୟାୟକ୍ରମେ କିଛି କିଛି କୁମ୍ଭୀର ମାନଙ୍କୁ ଆଣି ଏହି ଗଣ୍ଡରେ ଛଡାଯାଇଛି । ମହାନଦୀ ସାତକୋଶିଆ ବନ୍ୟପ୍ରାଣୀ ରେଞ୍ଜ ଅନ୍ତର୍ଗତ ସୁନାଖଣିଆ ବିଟ୍ ନିକଟସ୍ତ ମହାନଦୀରେ ଏହି କୁମ୍ଭୀର ମାନଙ୍କୁ ଛଡାଯାଇଛି ।
ମହାନଦୀର ସାତକୋଶିଆ ଗଣ୍ଡରେ ପ୍ରାକୃତିକ ସନ୍ତୁଳନ ସ୍ଥିର କରିବା ସହିତ ଘଡ଼ିଆଳ କୁମ୍ଭୀର ମାନଙ୍କ ବଂଶ ବୃଦ୍ଧି ନେଇ ୨୦୧୯ ରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଆଜି ସଫଳ ହୋଇଛି । ଏହି ଗଣ୍ଡରେ ସମୁଦାୟ ୩୫ଟି ଘଡ଼ିଆଳ କୁମ୍ଭୀର ଛଡାଯିବା ନେଇ ଆରମ୍ଭ ହୋଇଥିଲା ଯୋଜନା ସଫଳ ହୋଇଛି । ଏହି ଯୋଜନା ଯୋଗୁଁ ଅଗାମୀ ଦିନରେ ଓଡ଼ିଶାକୁ ସମଗ୍ର ଭାରତରେ ପରିଚୟ ପ୍ରଦାନ କରିବ ବୋଲି ଆରସିସିଏଫ୍ ସଞ୍ଜୟ କୁମାର ସ୍ୱାଇଁ କହିଛନ୍ତି ।