ଭୁବନେଶ୍ବର: ପୂର୍ବ ସରକାରରେ ଓଡ଼ିଶାରେ ପ୍ରକଳ୍ପ ନକରି ଓହରି ଯାଇଛନ୍ତି ୧୩ଟି ପ୍ରମୁଖ ଶିଳ୍ପ କମ୍ପାନୀ । ଏହି କମ୍ପାନୀଗୁଡ଼ିକ ପ୍ରକଳ୍ପ ସ୍ଥାପନ ପାଇଁ ଏମଓୟୁ ସ୍ୱାକ୍ଷର କରିଥିଲେ ମଧ୍ୟ ବିଭିନ୍ନ କାରଣରୁ ଓହରି ଯାଇଥିଲେ । ଆଜି ବିଧାନସଭାରେ ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏହି ତଥ୍ୟ ରଖିଛନ୍ତି ।
ସେହି କମ୍ପାନୀ ଗୁଡିକ ହେଲେ ପୋସ୍କୋ, ମହାରାଷ୍ଟ୍ର ସିମଲେସ୍, ଷ୍ଟେରଲାଇଟ୍ ଇଣ୍ଡଷ୍ଟ୍ରିଜ, ଅନୁଗୁଳ ଏନର୍ଜି(ଭୂଷଣ ଏନର୍ଜି), ଆର୍ସେଲର ମିତ୍ତଲ ଇଣ୍ଡିଆ, ଜେଆର ପାୱାରଗ୍ରେନ୍, ଟାଟା ପାୱାର କମ୍ପାନୀ, ଚମ୍ବଲ ଇନଫ୍ରାଷ୍ଟକଚର ଆଣ୍ଡ ଭେଂଚର, ଆରତୀ ଷ୍ଟିଲ, ସିଇଏସସି ଲିଃ, କଳିଙ୍ଗ ଏନର୍ଜି ଆଣ୍ଡ ପାୱାର, ବିଜିଆର ଏନର୍ଜି ସିଷ୍ଟମ ଓ ଆରଏସବି ମେଟାଲିକ୍ସ ।
ଏହି କମ୍ପାନୀଗୁଡ଼ିକ ମଧ୍ୟରେ ଆର୍ସେଲର ୪୦ହଜାର କୋଟି ଓ ପୋସ୍କୋ ୫୧ହଜାର କୋଟି ଟଙ୍କା ନିବେଶର ପ୍ରତିଶ୍ରୁତି ଦେଇଥିଲେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଲିଖିତ ଉତ୍ତରରେ ଜଣାଇଛନ୍ତି ।
ସେହିପରି ଗୃହ ବାହାରେ ଶିଳ୍ପ ମନ୍ତ୍ରୀ କହିଛନ୍ତି, ନୂଆ ତଥା ମୋହନ ସରକାର ଆସିବା ପରେ ଏବେ କୌଣସି ଶିଳ୍ପ ସଂସ୍ଥା ଓଡ଼ିଶାରୁ ଫେରୁନାହାନ୍ତି । ଶିଳ୍ପ କମ୍ପାନୀଗୁଡ଼ିକ ପକ୍ଷରୁ ମଧ୍ୟ ଏହା ସ୍ପଷ୍ଟ କରାଯାଇଛି । ପୂର୍ବ ସରକାର ସମୟରେ ବି ଯେଉଁ ଶିଳ୍ପ ଫେରିଥିଲା ତାକୁ ଆମେ ଓଡ଼ିଶାକୁ ଫେରାଇ ଆଣିବାକୁ ଚେଷ୍ଟା କରୁଛୁ ବୋଲି ସେ କହିଛନ୍ତି ।
ସେହିପରି ରେଳ ପ୍ରକଳ୍ପ ପାଇଁ ଡିପିଆର ପ୍ରସ୍ତୁତି କରାଯାଉଛି। ୧୮ମାସ ମଧ୍ୟରେ ବିଦ୍ୟୁତ ସଂଯୋଗ କାର୍ଯ୍ୟ ସରିବ। ସମସ୍ତ ପ୍ରକାରର ଆନୁସଙ୍ଗିକ କାମ ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।
Comments are closed.