Latest Odisha News

BREAKING NEWS

ଶ୍ରୀକ୍ଷେତ୍ର ବେଳାଭୂମିରୁ ଅଢ଼େଇ ବର୍ଷର ରାଧାକୁ ଅପହରଣ ଅଭିଯୋଗ, ୧୩ ଦିନ ପରେ ବି ମିଳୁନି ପତ୍ତା

ପୁରୀ: ଅଢ଼େଇ ବର୍ଷର ରାଧା । ହସଖୁସିରେ ବାପାମାଆଙ୍କ ପଇଡ଼ ଠେଲା ପାଖରେ ଖେଳୁଥିଲା । ସବୁଦିନ ଭଳି ଝିଅକୁ ପାଖରେ ବସାଇ ପଇଡ଼ ବିକ୍ରିରେ ବ୍ୟସ୍ତ ଥିଲେ ବାପା ସଞ୍ଜୟ ଓ ମାଆ ସସ୍ମିତା । ଗ୍ରାହକଙ୍କୁ ଭଲ ପାଣି ଥିବା ପଇଡ଼ ଖୋଜି ଦେଉଥିଲେ ସଞ୍ଜୟ । ଆଉ ଗ୍ରାହକ ବେଶରେ ଆସିଥିବା ଦୁର୍ବୃତ୍ତ ପଇଡ଼ ପିଇ ରାଧାକୁ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି । ଘଟଣାକୁ ୧୩ ଦିନ ବିତିଥିବା ବେଳେ ଏଯାଏ ରାଧାର କିଛି ଖୋଜ ଖବର ମିଳି ନାହିଁ ।

ଅଭିଯୋଗ ଅନୁସାରେ, ସଞ୍ଜୟ ଓ ସସ୍ମିତା ଲାଇଟହାଉସ୍ ନିକଟ ବେଳାଭୂମିରେ ଜୁଲାଇ ୨୬ ତାରିଖରେ ପଇଡ଼ ବିକ୍ରି କରୁଥିଲେ । ସେହି ସମୟରେ ଏକ କାରରେ କିଛି ଲୋକ ଆସି ପଇଡ଼ ପିଇବା ସହ ଅଢ଼େଇ ବର୍ଷର ରାଧାକୁ କାରରେ ଅପହରଣ କରି ନେଇଥିବା ଅଭିଯୋଗ କରିଛନ୍ତି ବାପାମାଆ । ଏନେଇ ବଳିଆପଣ୍ଡା ଥାନାରେ ଏତଲା ଦେଇଛନ୍ତି ।

ଅପହଣର ନେଇ ଏତଲା ହୋଇଥିବା ପୁରୀ ଏସପି କନୱର ବିଶାଲ୍ ସିଂହ କହିଛନ୍ତି ଅତରିକ୍ତ ଏସପି, ସିଟି ଡିଏସପି ଓ ବଳିଆପଣ୍ଡା ଥାନାର ଆଇଆଇସି ଛାନଭିନ୍ କରୁଛନ୍ତି । ଖୁବଶୀଘ୍ର ଦୁର୍ବୃତ୍ତଙ୍କୁ କାବୁ କରି ରାଧାକୁ ଫେରାଇ ଅଣାଯିବ । ବେଳାଭୂମିରୁ ଅଢ଼େଇ ବର୍ଷର ଝିଅ ରାଧାର ଅପହରଣ ପରେ ପୁରୀବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

କଟକ ନିଆଳିର ସଞ୍ଜୟ, ସସ୍ମିତା ବେଳାଭୂମିରେ ପଇଡ଼ ବିକ୍ରି ପରିବାର ଚଳାନ୍ତି । ଝିଅ ନିଖୋଜ ପର ଠାରୁ ଉଭୟ ଭୋକଶୋଷ ଭୁଲି ଯାଇଥିବା ବେଳେ ପୋଲିସ ଉପରେ ଭରସା ରଖିଛନ୍ତି ।

Leave A Reply

Your email address will not be published.