ଭୁବନେଶ୍ବର: ରାଜ୍ୟରେ ସରକାରୀ ପରିଚାଳିତ ବିଶ୍ବବିଦ୍ୟାଳୟରେ ହଜାରେରୁ ଅଧିକ ଶିକ୍ଷକ ପଦବୀ ଖାଲିପଡିଛି । ଏନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସରକାରୀ ପରିଚାଳିତ ବିଶ୍ୱବିଦ୍ୟାଳୟଗୁଡ଼ିକରେ ୧୩୫୩ଟି ଶିକ୍ଷକ ଏବଂ ୨୦୮୧ଟି ଅଣଶିକ୍ଷକ ପଦବୀ ଖାଲି ପଡ଼ିଛି ।
କଂଗ୍ରେସ ବିଧାୟକ ସୋଫିଆ ଫିରଦୌସଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି, ୧୭ଟି ସରକାରୀ ପରିଚାଳିତ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ବିଭାଗରେ ମୋଟ ୨୦୨୭ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ରହିଛି । ଯେଉଁଥିରୁ କେବଳ ୬୭୪ଟି ପଦବୀ ପୂରଣ ହୋଇଥିବା ବେଳେ ବାକି ୧୩୫୩ଟି ପଦବୀ ଖାଲି ପଡ଼ିଛି । ବିଭିନ୍ନ ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟରେ ମୋଟ ଖାଲି ଶିକ୍ଷକ ପଦବୀ ମଧ୍ୟରୁ ପ୍ରଫେସର ପଦବୀ ପାଇଁ ୨୪୫ଟି, ସହଯୋଗୀ ପ୍ରଫେସର ପଦବୀ ପାଇଁ ୧୧୫୫ଟି ଏବଂ ସହକାରୀ ପ୍ରଫେସର ପଦବୀ ପାଇଁ ୬୬୬ଟି ପଦବୀ ଖାଲି ପଡ଼ିଛି । କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସର୍ବାଧିକ ୧୬୧ଟି ଶିକ୍ଷକ ପଦବୀ ଖାଲି ପଡ଼ିଥିବା ବେଳେ, ଉତ୍କଳ ବିଶ୍ୱବିଦ୍ୟାଳୟରେ ୧୩୩ଟି ପଦବୀ ଖାଲି ପଡ଼ିଛି । ସେହିପରି, ୧୭ଟି ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ବିଭାଗରେ ମୋଟ ୨୮୭୯ଟି ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦବୀ ରହିଛି । ଯେଉଁଥିରୁ ୭୯୮ଟି ପଦବୀ ପୂରଣ ହୋଇଥିବା ବେଳେ ୨୦୮୧ଟି ପଦବୀ ଖାଲି ରହିଛି ।
ଏଥିସହିତ ପଦବୀ ଖାଲି ପଡିଥିବାର କାରଣ ଦର୍ଶାଇ ମନ୍ତ୍ରୀ କହିଛନ୍ତି, ଆଇନଗତ ବିବାଦ ଯୋଗୁଁ ନିଯୁକ୍ତି ସ୍ଥଗିତ ରହିଛି ଏବଂ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି । ଆହୁରି ମଧ୍ୟ ଆଜି ବିଧାନସଭାରେ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଲ୍, ୨୦୨୪ ଉପସ୍ଥାପିତ କରାଯାଇଛି ।
Comments are closed.