Latest Odisha News

ସରକାରୀ ହସ୍ପିଟାଲ୍ ନିକଟରୁ ୧୪ ଦଲାଲ୍ ଗିରଫ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶାନୁସାରେ ପୋଲିସ ରାଜ୍ୟର ୩ଟି ସରକାରୀ ହସ୍ପିଟାଲ ପରିସରରୁ ପାଖାପାଖି ୧୪ ଜଣ ଦଲାଲଙ୍କୁ ଗିରଫ କରିଛି । ଏହି ଦଲାଲମାନେ ରୋଗୀ ତଥା ତାଙ୍କ ସମ୍ପର୍କୀୟ ମାନଙ୍କୁ ଅନ୍ୟତ୍ର ଯାଇ ଚିକିତ୍ସିତ ହେବା ପାଇଁ ପ୍ରଲୋଭନ ଦେଖାଇଥାନ୍ତି ।

ଭୁବନେଶ୍ୱରସ୍ଥିତ କ୍ୟାପିଟାଲ୍ ହସ୍ପିଟାଲ ନିକଟରେ ବୁଧବାର ରାତିରେ ପୋଲିସ ଚେକିଂ କରୁଥିବା ସମୟରେ ୪ ଜଣ ଦଲାଲଙ୍କୁ ଗିରଫ କରିଥିଲା । ଏହି ଅଭିଯୁକ୍ତମାନେ କମିଶନ ଆଶାରେ ରୋଗୀଙ୍କୁ ଅନ୍ୟ ଘରୋଇ ନର୍ସିଂହୋମ୍ ତଥା ଡାଇଗ୍ନୋଷ୍ଟିକ୍ ସେଣ୍ଟର ଗୁଡିକୁ ଯିବା ପାଇଁ ପ୍ରଲୋଭିତ କରିଥାନ୍ତି । ଏହିଭଳି କରିବା ଲାଗି ଦଲାଲମାନଙ୍କୁ ପ୍ରାୟ ୧୫ରୁ ୨୦ ପ୍ରତିଶତ କମିଶନ ମିଳିଥାଏ ବୋଲି ପୋଲିସ ସୁତ୍ରରୁ ପ୍ରକାଶ ।

ଏହାବ୍ୟତିତ ସେହି ଦିନ ସମ୍ବଲପୁରର ବୁର୍ଲା ସ୍ଥିତ ଭିମସାର ମେଡିକାଲ କଲେଜ ଏବଂ ହସ୍ପିଟାଲ ପରିସରରୁ ୫ ଜଣ ଦଲାଲଙ୍କୁ ଗିରଫ କରାଯାଇଥିଲା । ଏନେଇ ଗୁରୁବାର ଦିନ ଟ୍ୱିଟ କରିଛନ୍ତି ପୋଲିସ ଡିଜି ବିକେ ଶର୍ମା ।

ସେହିପରି ସମ୍ବଲପୁର ଏସପି କୁଅଁର ବିଶାଳ ସିଂହ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଦୂରଦୂରାନ୍ତରୁ ଆସୁଥିବା ରୋଗୀ ତଥା ତାଙ୍କ ସମ୍ପର୍କୀୟମାନଙ୍କୁ ଏହି ଦଲାଲମାନେ ଅନ୍ୟ ନର୍ସିଂହୋମରେ ଯାଇ ଚିକିତ୍ସିତ ହେବା ଲାଗି ପ୍ରଭାବିତ କରିଥାନ୍ତି ।

ଏସପି ଆହୁରି ମଧ୍ୟ କହିଛନ୍ତି, ଗିରଫ ଦଲାଲ ମାନଙ୍କୁ ଏନେଇ ପଚରାଉଚରା କରାଯିବ ଏବଂ ପରବର୍ତ୍ତୀ ସମୟରେ ଅଦାଲତରେ ପେସ୍ କରାଯିବ ।

ଅନ୍ୟଏକ ଟ୍ୱିଟରେ ଡିଜିପି କହିଛନ୍ତି, ବଲାଙ୍ଗିରର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ୫ ଜଣ ଦଲାଲଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ କୋର୍ଟ ପଠାଇ ଦିଆଯାଇଛି ଏବଂ ଏଥିରେ ସାମିଲ ଅନ୍ୟମାନଙ୍କୁ ଧରିବା ଲାଗି ଖୋଳତାଡ ଆରମ୍ଭ କରାଯାଇଛି ।

Leave A Reply

Your email address will not be published.