Latest Odisha News

BREAKING NEWS

ସରକାରୀ ଆବାସ ଯୋଜନାର ବିକଳ ଚିତ୍ର : ପଲିଥିନ ତଳେ ୧୪୦ ପରିବାର

ନବରଙ୍ଗପୁର: ସରକାରୀ ଆବାସ ଯୋଜନାର ବିକଳ ଚିତ୍ର । ପଲିଥିନ ତଳେ ଜୀବନ ବିତାଉଛନ୍ତି ୧୪୦ ପରିବାର । ୨୫ ବର୍ଷତଳେ ସରକାରୀ ଯୋଜନାରେ ମିଳିଥିବା ଇନ୍ଦିରାଆବାସ ଘର ଯାହା ଦିନେ ବସ୍ତିବାସିନ୍ଦାଙ୍କ ପାଇଁ ବରଦାନ ସଦୃଶ୍ୟ ଥିଲା ତାହା ଆଜି ପାଲଟିଯାଇଛି ଅଭିଶାପ। ଏ ହେଉଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ପଡାଲଗୁଡା ପଞ୍ଚାୟତରେ ଥିବା ଜାନକୀନଗର ବସ୍ତି । ଯେଉଁଠି ଅନେକ ଦୁଃଖ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ୧୪୦ ପରିବାର ।

ତତ୍କାଳୀନ ନବରଙ୍ଗପୁର ବିଧାୟକ ସ୍ବର୍ଗତ ହାବିବୁଲ୍ଲା ଖାନଙ୍କ ପ୍ରୟାସରେ ଜିଲ୍ଲା ପ୍ରଶାସନ ୧୯୯୭ ମସିହାରେ ଇନ୍ଦିରା ଆବାସ ଯୋଜନା ଅନ୍ତର୍ଗତ ଗୋଟିଏ ସ୍ଥାନରେ ୪୧୫ ଇନ୍ଦିରାଆବାସ ଘର ନିର୍ମାଣ କରାଯାଇଥିଲା । ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ପଟ୍ଟନାୟକଙ୍କ ନାମରେ ଏହି ନୂତନ ବସ୍ତିର ନାମକରଣ କରାଯାଇ ଜାନକୀନଗର ବସ୍ତି ରଖାଯାଇଥିଲା । ନବରଙ୍ଗପୁର ସହର ମଧ୍ୟରେ ରହୁଥିବା ଗୃହହୀନ ଭିକ୍ଷୁକ ଓ ଦିନମଜୁରିଆ ପରିବାର ମାନଙ୍କୁ ଆଣି ଏହି ବସ୍ତିରେ ଥଇଥାନ କରାଯାଇଥିଲା । ସେ ସମୟରେ ନିର୍ମାଣ କରାଯାଇଥିବା ୪୧୫ ଘର ଗୁଡିକ ମଧ୍ୟରୁ ୨୭୫ ଘର ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗି ମାଟିରେ ମିଶିଯାଇଛି । ଏବେ ତତ୍କାଳୀନ ଯୋଜନାର ମୂକସାକ୍ଷୀ ହୋଇ ନାମକୁ ମାତ୍ର ମୁଣ୍ଡ ଟେକି ରହିଛି ଏହି ୧୪୦ ଘର। ଘର ଗୁଡିକର ମରାମତି ପାଇଁ ଗତ ୨୫ ବର୍ଷ ମଧ୍ୟରେ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ ହୋଇନାହିଁ । ଘର ଗୁଡିକର ଅବସ୍ଥା ଏପରି ଯେ କେତେବେଳେ ମଧ୍ୟ ଏହା ଭାଙ୍ଗି ଧନ ହାନୀ ସହ ଜୀବନ ହାନୀ ହେବାର ସମ୍ଭାବନା ରହିଛି।

ସେପଟେ ବସ୍ତିକୁ ଯିବାକୁ ଏପର୍ଯ୍ୟନ୍ତ ରାସ୍ତାଟିଏ କି ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥାଟିଏ ମଧ୍ୟ ହୋଇନାହିଁ । ଅନ୍ୟଦିନ ମାନଙ୍କରେ ଦୁଃଖେ କଷ୍ଟେ ଚଳିଯାଉଥିଲେ ମଧ୍ୟ ବର୍ଷାଦିନ ଆସିଲେ ଦୁର୍ଦ୍ଦଶା ଆହୁରି ବଢିଯାଏ । ଭଲ ଡ୍ରେନ ବ୍ୟବସ୍ଥା ନଥିବାରୁ ବସ୍ତି ଭିତରେ ପାଣି ଜମିକି ରୁହେ । ବସ୍ତି ସୃଷ୍ଟି ହୋଇ ୨୫ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ଘରଡ଼ିହ ପଟ୍ଟା ମିଳିପାରୁନାହିଁ । ଏହାଫଳରେ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି ବସ୍ତିବାସିନ୍ଦା । ଏନେଇ ବିଡ଼ିଓଙ୍କୁ ଠାରୁ ଆରମ୍ଭକରି ଜିଲ୍ଲାପାଳ ଓ ନେତା, ମନ୍ତ୍ରୀଙ୍କ ନିକଟରେ ଅନେକ ଥର ଗୁହାରି କରି ଥକି ଗଲେଣି ଏହି ବସ୍ତି ବାସିନ୍ଦା।

Leave A Reply

Your email address will not be published.