ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଥାନା ଅନ୍ତର୍ଗତ ପରଜଙ୍ଗ ଖଇରମୁଣ୍ଡା ଛକ ନିକଟରେ ଏକ ପିକନିକ୍ ବସ ରାସ୍ତା କଡ଼କୁ ଓଲଟି ପଡ଼ିବା ଫଳରେ ୧୫ ଯାତ୍ରୀ ଆହତ ହୋଇଛନ୍ତି ।
ମିଳିଥିବା ସୂଚନାନୁଯାୟୀ, ଅନୁଗୁଳରୁ ଏକ ଘରୋଇ ଯାତ୍ରୀବାହୀ ବସ ପିକନିକ୍ ନିମନ୍ତେ ୪୫ ଜଣ ଯାତ୍ରୀଙ୍କୁ ନେଇ ବାଲେଶ୍ୱର ଯିବାବେଳେ ଶନିବାର ସନ୍ଧ୍ୟାରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଅନୁଗୁଳ ଫେରିବା ବାଟରେ ଡ୍ରାଇଭର ଗାଡ଼ିଟିର ନିୟନ୍ତ୍ରଣ ହରାଇବାରୁ ଗାଡ଼ିଟି ରାସ୍ତା କଡ଼ର ପଡ଼ିଆକୁ ଓଲଟି ପଡ଼ିଥିଲା ।
ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀ ମାନଙ୍କୁ ଚିକିତ୍ସା ନିମନ୍ତେ ମଣ୍ଡଳପାଳ ଗୋଷ୍ଠୀ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । କେତେକ ଯାତ୍ରୀ ଗୁରୁତର ଆହତ ହୋଇଥିବା ଯୋଗୁଁ ସେମାନଙ୍କୁ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଡ଼ାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି, ସମସ୍ତ ଆହତ ଯାତ୍ରୀମାନଙ୍କର ଅବସ୍ଥା ସ୍ୱାଭାବିକ ରହିଛି ।
ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି, ରାତ୍ରୀ ଅନିଦ୍ରା ଜନିତ ଅତ୍ୟଧିକ ଡ୍ରାଇଭିଂ ଯୋଗୁଁ ଡ୍ରାଇଭର ଜଣକ ଥକ୍କା ହୋଇଯାଇଥିଲେ, ତେଣୁ ଦୁର୍ଘଟଣା ଘଟିଥିବାର ସନ୍ଦେହ କରୁଛନ୍ତି ପୋଲିସ ।
Comments are closed.