Latest Odisha News

BREAKING NEWS

ରେଳବାଇରେ ଚାକିରି ନାଁରେ ଆଉ ୧୬ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ

ବ୍ରହ୍ମପୁର; ରେଳବାଇରେ ଚାକିରି ନାଁରେ ଠକେଇ ମାମଲାର ଚେର ଲମ୍ବିବାରେ ଲାଗିଛି। ଜଣକ ପରେ ଜଣେ ପୀଡ଼ିତ ପୋଲିସର ଦ୍ବାରସ୍ଥ ହେଉଛନ୍ତି। ପୂର୍ବରୁ ୭ ଲକ୍ଷ ଟଙ୍କା ଠକେଇ ନେଇ ଏସ୍‌.ହିତେଶ ପାତ୍ର ନାମକ ଜଣେ ଯୁବକ ବ୍ରହ୍ମପୁର ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏହି ଘଟଣାରେ ଜେଏମ୍‌ଏସ୍‌ ପ୍ରଭା ଏବଂ ତାଙ୍କ ସହଯୋଗୀ ତଥା ଟିଉସନ ସାର୍‌ ସମୀର ରଥ ଗିରଫ କରିଥିଲେ। ଏବେ ଉଭୟ ଅଭିଯୁକ୍ତଙ୍କ ନାଁରେ ବ୍ରହ୍ମପୁର ସଦର ଥାନାରେ ଆଉ ଦୁଇଟି ମାମଲା ରୁଜୁ ହୋଇଛି। ୧୬ ଲକ୍ଷ ଟଙ୍କାର ଠକେଇ ହୋଇଥିବା ନେଇ ଉଭୟ ମାମଲାରେ ଅଭିଯୋଗ ହୋଇଛି। ସଦର ଥାନା ପୋଲିସ ପୃଥକ ମାମଲା ରୁଜୁ ସହ ତଦନ୍ତ ଆରମ୍ଭ କରିଛି।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବ୍ରହ୍ମପୁର ଗେଟ ବଜାର ମୁକ୍ତିପଥ ସାହିର ରବୀନ୍ଦ୍ର ବେହେରାଙ୍କ ଝିଅ ଜାଗୃତି ବେହେରାକୁ ରେଲୱେରେ ଚାକିରି କରାଇଦେବା ପାଇଁ ଟିଉସନ ସାର୍‌ ସମୀର ରଥ ପ୍ରାୟ ଦୁଇ ବର୍ଷ ପୂର୍ବେ ୧୦ ଲକ୍ଷ ଟଙ୍କା ନେଇଥିଲେ। ହେଲେ ଜାଗୃତି କୌଣସି ଚାକିରି ପାଇନଥିଲେ। ଏଥିରେ ବିରକ୍ତ ପ୍ରକାଶ କରିବା ସହ ବାରମ୍ବାର ପ୍ରଶ୍ନ କରିଥିଲେ ରବୀନ୍ଦ୍ର। ୨୦୨୨ ଅକ୍ଟୋବରରେ ଏକ ନିଯୁକ୍ତିପତ୍ର ଜାଗୃତିଙ୍କୁ ପ୍ରଦାନ କରାଯାଇଥିଲା। ବିହାରର ଦାନପୁର ଡିଭିଜିନାଲ୍‌ ରେଲୱେ ମ୍ୟାନେଜର(ଡିଆରଏମ୍‌)ଙ୍କ କାର୍ଯ୍ୟାଳୟରେ ଯାଇ ଜଏନ କରିବାକୁ କୁହାଯାଇଥିଲା। ଜାଗୃତି ଦାନପୁର ଡିଏମଆରଙ୍କ କାର୍ଯ୍ୟାଳୟରେ ଜଏନ କରିବା ସହ ଗୋଟିଏ ମାସ କାମ କରିଥିଲେ। କିନ୍ତୁ ଦରମା ମିଳିନଥିଲା। ଏନେଇ ସମୀରଙ୍କୁ ରବିନ୍ଦ୍ର ପ୍ରଶ୍ନ କରିଥିଲେ। ପ୍ରଭାଙ୍କ ଆକାଉଣ୍ଟକୁ ୧ ଲକ୍ଷ ଟଙ୍କା ପଠାଇଲେ ସେ ଆଇକାର୍ଡ ଦେବା ସହିତ ଦରମା ମିଳିବ ବୋଲି ସମୀର ଉତ୍ତର ରଖିଥିଲେ। ବିଶ୍ବାସରେ ରବୀନ୍ଦ୍ର ୧ ଲକ୍ଷ ଟଙ୍କା ପ୍ରଭାଙ୍କୁ ଦେଇଥିଲେ। କିନ୍ତୁ ଟଙ୍କା ଦେବା ପରେ ମଧ୍ୟ ଦରମା ନମିଳିବାରୁ ସନ୍ଦେହ ପ୍ରକାଶ କରିଥିଲେ। ପ୍ରଭାଙ୍କ ଠକେଇ ଜାଲ ଜନିତ ଘଟଣା ସାମ୍ନାକୁ ଆସିବା ପରେ ସଦର ଥାନାର ଦ୍ବାରସ୍ଥ ହୋଇଛନ୍ତି ରବୀନ୍ଦ୍ର।

ଅନ୍ୟପଟେ ଗୁରୁଣ୍ଠି ଗ୍ରାମର ନିରଞ୍ଜନ ନାୟକ ମଧ୍ୟ ଆଉ ଏକ ଏତଲା ଦେଇଛନ୍ତି। ତାଙ୍କ ପୁଅ ଆଶୁତୋଷଙ୍କୁ ରେଳବାଇରେ ଚାକିରି କରାଇଦେବା ପାଇଁ ମଧ୍ୟ ୫ ଲକ୍ଷ ଟଙ୍କା ଠକି ନିଆଯାଇଥିବା ନିଜ ଅଭିଯୋଗରେ ଦର୍ଶାଇଛନ୍ତି। ସମୀରଙ୍କ ଟିଉସନରେ ଆଶୁତୋଷ ୨୦୧୪ରୁ ୨୦୧୬ ମସିହା ପର୍ଯ୍ୟନ୍ତ ପାଠ ପଢ଼ୁଥିଲେ। ୨୦୧୮ରେ ଆଶୁତୋଷ ଯୁକ୍ତ ଦୁଇ ପାସ୍ କରିଥିଲା। ୫ ଲକ୍ଷ ଟଙ୍କା ଦେଲେ ରେଳବାଇରେ ଆଶୁତୋଷଙ୍କ ଚାକିରି କରା ଚାକିରି କରାଇଦେବା ନେଇ ନିରଞ୍ଜନଙ୍କୁ ପ୍ରଲୋଭନ ଦେଖାଇଥିଲେ ସମୀର। ଚାକିରି ହୋଇଯିବ ଭାବି ୨୦୨୦ ସେପ୍ଟେମ୍ବର ୨୭ ତାରିଖରେ ସମୀରଙ୍କ ଆକାଉଣ୍ଟରେ ୩ ଲକ୍ଷ ଟଙ୍କା ଜମା କରିଥିଲେ। ପରେ ସମୀର ଆଉ ଦୁଇ ଲକ୍ଷ ଟଙ୍କା ମାଗିଥିଲେ। ହେଲେ ନିଯୁକ୍ତି ସଂପର୍କିତ ପ୍ରମାଣ ନମିଳିବା ଯାଏଁ ବଳକା ଟଙ୍କା ଦେବାକୁ ସେ ମନା କରିଦେଇଥିଲେ। ଏଣୁ ପ୍ରଭା ଜଣେ ନୋଟାରୀଙ୍କ ପାଖରେ ଚାକିରି ପ୍ରତିଶ୍ରୁତି ନେଇ ଏଗ୍ରିମେଣ୍ଟ କରିଥିଲେ। ଭରସାରେ ନିରଞ୍ଜନ ତାଙ୍କୁ ଦୁଇ ଲକ୍ଷ ଟଙ୍କା ଦେଇଥିଲେ। ପ୍ରାୟ ୫ ଲକ୍ଷ ଟଙ୍କା ନେବା ପରେ ଏକ ନିଯୁକ୍ତି ପତ୍ର ଦେଇ ବିହାର ରାଜ୍ୟର ଦାନପୁର ଡିଆରଏମ୍‌ କାର୍ଯ୍ୟାଳୟକୁ ଯାଇ ଜଏନ କରିବାକୁ କହିଥିଲେ। ହେଲେ ସେଠାକୁ ଯାଇ ଦେଖିଲା ବେଳକୁ ନିଯୁକ୍ତିପତ୍ର ନକଲି ବୋଲି ଜଣାପଡ଼ିଥିବା ନିରଞ୍ଜନ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ, ସୋରଡ଼ାର ଏସ.ହିତେଶ ପାତ୍ର ପ୍ରଥମେ ଏହି ଠକେଇ ନେଇ ବ୍ରହ୍ମପୁର ଟାଉନ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଠାରୁ ୭ ଲକ୍ଷ ଟଙ୍କା ନିଆଯାଇଥିବା ନେଇ ଅଭିଯୋଗରେ ଦର୍ଶାଇଥିଲେ। ପୁଲିସ ତାଙ୍କ ଅଭିଯୋଗକୁ ଭିତ୍ତିକରି ପ୍ରଭାଙ୍କୁ ଗିରଫ କରିଥିଲା। ପରେ ପ୍ରଭାଙ୍କ ଠାରୁ ସୂଚନା ପାଇ ଟିଉସନ ସାର୍‌ ସମୀରଙ୍କୁ ମଧ୍ୟ ପୁଲିସ ଗିରଫ କରିଥିଲା। ଏବେ ଆଉ ଦୁଇଟି ମାମଲା ଉଭୟଙ୍କ ନାଁରେ ରୁଜୁ ହୋଇଛି। କେବଳ ଏତିକି ନୁହଁ, ପ୍ରଭାଙ୍କ ଠକେଇର ଶିକାର ଅନେକ ଯୁବକ ଯୁବତୀ ହୋଇଥିବା ନେଇ କୁହାଯାଉଛି। ଆଗାମୀ ଦିନରେ ଅଧିକ ଅଭିଯୋଗ ହେବ ବୋଲି ଆଶଙ୍କା କରାଯାଉଛି।

 

Leave A Reply

Your email address will not be published.