Latest Odisha News

BREAKING NEWS

କିଏ ଦେଇଥଲା ଧୋନୀଙ୍କ ଝିଅକୁ ଦୁଷ୍କର୍ମ ଧମକ ?

ଗୁଜରାଟ: ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ୍ ହାରିଥିଲା ବୋଲି ଧୋନୀଙ୍କ ଝିଅ ଜିଭାକୁ ମିଳିଥିଲା ଦୁଷ୍କର୍ମ ଧମକ । ଏ ନେଇ ସାରା ଦେଶରେ ହଟଚମଟ ସୃଷ୍ଟି ହୋଇଥିଲା । କ୍ରିକେଟ୍ ଖେଳକୁ ନେଇ ଏଭଳି ଧମକ ଘଟଣାକୁ ସମସ୍ତେ ନିନ୍ଦା କରିଥିଲେ । ତେବେ ଶେଷରେ ରାଂଚି ଓ ଗୁଜରାଟ ପୋଲିସର ତତ୍ପରତା ଯୋଗୁଁ ଧରାପଡିଛି ଧମକ ଦେଇଥିବା ଅଭିଯୁକ୍ତ ।

ପୋଲିସ ରିପୋର୍ଟ ଅନୁଯାୟୀ ଏହି ମାମଲାରେ ରବିବାର ଗୁଜରାଟ ପୋଲିସ ଜଣେ ୧୬ବର୍ଷୀୟ ନାବାଳକକୁ ଗିରଫ କରିଛି । ଗିରଫ ନାବାଳକ ଜଣକ ସୋସିଆଲ ମିଡିଆରେ ଧୋନୀ ଓ ସାକ୍ଷୀଙ୍କ ଲାଡଲି ଜିଭାକୁ ଦେଇଥିଲା ଦୁଷ୍କର୍ମ ଧମକ । ଗିରଫ ହୋଇଥିବା ନାବାଳକ ଯୁକ୍ତ୨ରେ ପାଠ ପଢୁଥିବାବେଳେ ଗୁଜରାଟର ମୁନ୍ଦ୍ରା ଅଂଚଳରୁ ଧରାପଡିଥିଲା ।

ରାଂଚିରେ ଏ ନେଇ ମାମଲା ଦାୟର ହୋଇଥିଲାବେଳେ ମିଳିତ ଉଦ୍ୟମରେ ଅଭିଯୁକ୍ତ ପୋଲିସ ହାତରେ ଧରାପଡିଛି । ନାବାଳକକୁ ଅଟକ ରଖି ପୋଲିସ ପ୍ରଥମେ ଜେରା କରିଥିଲା । ତେବେ ଜେରାରେ ନାବାଳକ ଜଣକ ନିଜର ଦୋଷ ସ୍ୱୀକାର କରିବା ପରେ ପୋଲିସ ତାକୁ ଗିରଫ କରିଥିଲା । ଖୁବଶୀଘ୍ର ଅଭିଯୁକ୍ତକୁ ଗୁଜରାଟ ପୋଲିସ ରାଂଚି ପୋଲିସକୁ ହସ୍ତାନ୍ତର କରିବ ।

ଆଜି ରାଂଚି ପୋଲିସ ଗୁଜରାଟରେ ପହଂଚିଥିଲାବେଳେ ଜୁଭେନାଇଲ ଜଷ୍ଟିସ୍ ଆକ୍ଟରେ ନାବାଳକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ପ୍ରାଥମିକ ସୂଚନା ଅନୁଯାୟୀ ଧୋନୀଙ୍କ ଟିମ୍ ଆଇପିଏଲରେ ଭଲ ପ୍ରଦର୍ଶନ କରିନଥିବାରୁ ନାବାଳକ ଜଣକ ପ୍ରତିଶୋଧ ପରାୟଣ ହୋଇ ଏପରି କରିଥିବା ଜଣାପଡିଛି ।

Leave A Reply

Your email address will not be published.