ରାୟପୁର: ଛତିଶଗଡର ରାୟଗଡ ଜିଲ୍ଲାରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି । ନିର୍ବାଚନ ଡ୍ୟୁଟିରେ ନିୟୋଜିତ ବିଏସଏଫ୍ ଯବାନଙ୍କୁ ନେଇ ଫେରୁଥିବାବେଳେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ୧୭ ଜଣ ଯବାନ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଧରମଜୟଗଡ ସିଭିଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
ଦୁର୍ଘଟଣାରେ ଆହତ ହୋଇଥିବା ସମସ୍ତ ଯବାନ କାଙ୍କେର ଜିଲ୍ଲାର ଅନ୍ତଗଡ ର ସାରଙ୍ଗିପାଲ ମୁଖ୍ୟାଳୟରୁ ଆସିଥିବା ଜଣାପଡିଛି ।
ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଧରମଜୟଗଡର ଛୁହି ପାହାଡ ମତଦାନ କେନ୍ଦ୍ରରେ ଡ୍ୟୁଟି ସାରି ୩୨ ଜଣ ବିଏସଏଫ୍ ଯବାନ ଏକ ବସ୍ରେ ଫେରୁଥିଲେ । ଏହି ସମୟରେ ଚହଲା ଗ୍ରାମ ନିକଟରେ ହଠାତ୍ ବସଟି ବ୍ରେକ୍ ଫେଲ୍ ହେବା କାରଣରୁ ନିୟନ୍ତ୍ରଣ ହରାଇ ଏକ ଗଛରେ ପିଟି ହୋଇଥିଲା ।
ତେବେ ଏହି ଦୁର୍ଘଟଣାରେ ପ୍ରଥମେ ସ୍ଥାନୀୟ ଲୋକେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ପୋଲିସ ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ପରେ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ମୋଟ ୧୭ ଜଣଙ୍କୁ ଚିକିତ୍ସା ପାଇଁ ଧରମଜୟଗଡ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଥିରୁ ଚାରି ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ରାୟଗଡ ମେଡିକାଲକୁ ପଠାଇ ଦିଆଯାଇଛି ।
Comments are closed.