ବରଗଡ଼: ବର୍ଷା ଯୋଗୁଁ ବାଟ ଭୁଲି ଫସି ରହିଛନ୍ତି ୧୭ ଛତିଶଗଡ଼ି ପର୍ଯ୍ୟଟକ । ପାଇକମାଳ ନୃସିଂହନାଥ ଠାରୁ ୫ କିମି ଦୂର କପିଳଧାରା ଜଳପ୍ରପାତ ନିକଟରେ ଫସି ରହିଛନ୍ତି ୧୭ ଛତିଶଗଡ଼ି ପର୍ଯ୍ୟଟକ । ଖବର ପାଇବାପରେ ଉଦ୍ଧାର ପାଇଁ ଯାଇଛନ୍ତି ଡିଭିଏଫ୍, ପୋଲିସ, ଅଗ୍ନିଶମ ବାହିନୀ ଓ ବନବିଭାଗ ।
ପଦ୍ମପୁର ଏସ୍ଡିପିଓ ପାଣ୍ଡବ ଶବର କହିଛନ୍ତି, ଜଙ୍ଗଲରେ ବାଟବଣା ହୋଇଥିବାନେଇ ଟୋଲ୍ ଫ୍ରି ନମ୍ବରକୁ ଛତିଶଗଡର ଜଣେ ଶ୍ରଦ୍ଧାଳୁ ଫୋନ୍ କରି ଜଣାଇଥିଲେ। ବର୍ଷା ଓ ଅନ୍ଧାର କାରଣରୁ ରାସ୍ତାଭୁଲି ଅନ୍ୟ ଦିଗରେ ଚାଲିଯାଇଥିବା ସେ ସୂଚନା ଦେଇଛନ୍ତି।
ପାଇକମାଳ ଥାନା ଅଧିକାରୀ କୈଳାସ ଚନ୍ଦ୍ର ପ୍ରଧାନ ଜଣାଇଛନ୍ତି ଯେ, ପାଇକମାଳ ପୋଲିସ, ଜଙ୍ଗଲ ବିଭାଗ କର୍ମଚାରୀ, ଅଗ୍ନିଶମ ବିଭାଗ କର୍ମଚାରୀମାନେ ମିଳିମିଶି ଜଙ୍ଗଲକୁ ଯାଇଥିଲେ ସୁଦ୍ଧା ଭୀଷଣ ବର୍ଷାରେ ଉପରକୁ ଚଢିବା କଷ୍ଟକର ହେଉଛି । ଉଦ୍ଧାରକାରୀ ଦଳ ମଧ୍ୟ ଅଧା ବାଟରେ ପ୍ରବଳ ବର୍ଷା ଯୋଗୁ ଜଙ୍ଗଲ ମଝିରେ ଅଟକିଛନ୍ତି ।
ସୂଚନାଥାଉକି, ନୃସିଂହନାଥରୁ ହରିଶଙ୍କରକୁ ଜଙ୍ଗଲ ମଧ୍ୟରେ ପାଦଚଲା ରାସ୍ତା ରହିଛି। ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏହି ବିପଜ୍ଜନକ ରାସ୍ତା ଦେଇ ଯାତ୍ରା କରିଥାନ୍ତି ।
Comments are closed.