Latest Odisha News

BREAKING NEWS

କ୍ରାଇମ୍ ପେଟ୍ରୋଲ୍ ଦେଖି ପ୍ରମାଣ ଲୁଚାଇଥିଲା ୧୭ବର୍ଷୀୟ ହତ୍ୟାକାରୀ !

ଉତ୍ତରପ୍ରଦେଶ: ମଥୁରାରେ ସାମ୍ନାକୁ ଆସିଛି ଏକ ଛାତି ଥରାଇଦେଲାଭଳି ଘଟଣା । ଜଣେ ୧୭ ବର୍ଷୀୟ ନାବାଳକ ପ୍ରଥମେ ନିଜ ବାପାକୁ ହତ୍ୟା କରିଥିଲା । ପରେ କ୍ରାଇମ୍ ପେଟ୍ରୋଲ୍ ଭଳି ପପୁଲାର ଟିଭି ସିରିଜ ଦେଖି ହତ୍ୟାକାଣ୍ଡର ପ୍ରମାଣ ନଷ୍ଟ ବି କରିଥିଲା ।

ଯୁକ୍ତ୨ରେ ପାଠ ପଢୁଥିବା ନାବାଳକକୁ ବୁଧବାର ପୋଲିସ ଗିରଫ କରିଥିଲା । ନାବାଳକର ମୋବାଇଲକୁ ପୋଲିସ ଯାଂଚ କରିବା ପରେ ସାମ୍ନାକୁ ଆସିଥିଲା ଚାଂଚଲ୍ୟକର ତଥ୍ୟ । ଜଣାପଡିଥିଲା କ୍ରାଇମ୍ ପେଟ୍ରୋଲ ଭଳି କ୍ରାଇମ୍ ସିରିଜକୁ ନାବାଳକ ଜଣକ ୧୦୦ରୁ ଅଧିକ ଥର ଦେଖିଥିଲା ।

ମେ’ ୨ରେ ଘଟିଥିଲା ହତ୍ୟାକାଣ୍ଡ । ଅଭିଯୁକ୍ତ ନାବାଳକର ବାପା ୪୨ ବର୍ଷୀୟ ମନୋଜ ମିଶ୍ର ଘଟଣାଦିନ କୌଣସି କାରଣ ପାଇଁ ପୁଅକୁ ଗାଳି କରିଥିଲେ । ଗାଳିଗୁଲଜରେ ନିଜକୁ ଅପଦସ୍ତ ମନେ କରି ନାବାଳକ ଜଣକ ଖୋଦ ନିଜ ବାପାର ମୁଣ୍ଡକୁ ଏକ ଲୁହା ରଡ୍‌ରେ ଆଘାତ ଦେଇଥିଲା । ପରେ ଏକ କପଡାରେ ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲା ।

ଜାଣି ଆଶ୍ଚର୍ଯ୍ୟ ହେବେ, ହତ୍ୟାକାଣ୍ଡ ରାତିରେ ବାପାର ମୃତଦେହକୁ ଲୁଚଇବାକୁ ପୁଅକୁ ଖୋଦ ତା ମାଆ ସହାୟତା କରିଥିଲା । ଏକ ସ୍କୁଟିରେ ମୃତଦେହକୁ ଲଦି ଘରଠୁ ୫କିମି ଦୂରରେ ଥିବା ଜଙ୍ଗଲକୁ ନେଇଯାଇଥିଲା । ପ୍ରମାଣ ନଷ୍ଟ କରିବା ପାଇଁ ବାପାର ମୃତଦେହକୁ ପୁଅ ପେଟ୍ରୋଲ ଓ ଟୟଲେଟ୍ କ୍ଲିନର୍ ଢାଳି ନିଆଁରେ ପୋଡିଦେଇଥିଲା ।

ହତ୍ୟାକାଣ୍ଡର ପରଦିନ ପୋଲିସ ଅଧାପୋଡା ମନୋଜ ମିଶ୍ରଙ୍କ ମୃତଦେହକୁ ଉଦ୍ଧାର କରିଥିଲା । ପ୍ରାୟ ତିନିମାସ ଧରି ମନୋଜଙ୍କ ନିଖୋଜ ହେବା ନେଇ ଥାନାରେ କୌଣସି ଅଭିଯୋଗ ବି ହୋଇନଥିଲା । ତେବେ ମନୋଜ ମିଶ୍ର ଅନୁଦାନ ସଂଗ୍ରହକାରୀ ଭାବେ କାମ କରୁଥିବା ଇସ୍କନ ସଂସ୍ଥାର ଚାପ ପ୍ରୟୋଗ ପରେ ତାଙ୍କ ପରିବାର ଲୋକେ ମେ’ ୨୭ରେ ନିଖୋଜ ଅଭିଯୋଗ ଆଣିଥିଲେ ।

ତଦନ୍ତରେ ମନୋଜଙ୍କ ଚଷମାକୁ ଦେଖି ତାଙ୍କ ସାଥୀ କର୍ମଚାରୀମାନେ ଚିହ୍ନଟ କରିଥିଲେ । ତେବେ ସେ ଭାଗବତ ପଢିବାକୁ ବିଭିନ୍ନ ସ୍ଥାନକୁ ଭ୍ରମଣ କରୁଥିବାରୁ ତାଙ୍କ ନିଖୋଜ ହେବା ନେଇ କେହି ସନ୍ଦେହ କରିନଥିଲେ । ତେବେ ତଦନ୍ତ ପାଇଁ ମନୋଜଙ୍କ ପୁଅକୁ ବାରମ୍ବାର ଥାନାରୁ ଡାକରା ଯାଉଥିଲେ ବି ସେ ବିଭିନ୍ନ ଆଳ ଦେଖାଇ ଆସୁନଥିଲା । ଏପରିକି କେଉଁ ଆଧାରରେ ଥାନାକୁ ଡକାଯାଉଥିବା ନେଇ ଓଲଟା ପୋଲିସକୁ ତାଗିଦ୍ କରୁଥିଲା ।

ମନରେ ସନ୍ଦେହ ହେବାରୁ ପୋଲିସ ନାବାଳକର ମୋବାଇଲକୁ ଯାଂଚ କରିବା ପରେ ସର୍ଚ୍ଚ ହିଷ୍ଟ୍ରୀରେ କ୍ରାଇମ୍ ପେଟ୍ରୋଲ ସିରିଜର କେବଳ ଗୋଟିଏ ଏପିସୋଡ ୧୦୦ରୁ ଅଧିକ ଥର ଦେଖାହୋଇଥିବା ଜଣାପଡିଥିଲା । ପୋଲିସର ବାରମ୍ବାର ଜେରା ପରେ ଶେଷରେ ସତ ଓଗାଳିଥିଲା ହତ୍ୟାକାରୀ ପୁଅ ।

ନାବାଳକ ଓ ମାଆ ସଙ୍ଗୀତା ମିଶ୍ରଙ୍କୁ ହତ୍ୟା ତଥା ପ୍ରମାଣ ନଷ୍ଟ କରିବା ଅଭିିଯୋଗରେ ପୋଲିସ ଗିରଫ କରିଛି । ଅନ୍ୟପଟେ ଅଭିଯୁକ୍ତର ୧୧ ବର୍ଷୀୟା ଭଉଣୀକୁ ତାଙ୍କ ଜେଜେବାପାଙ୍କୁ ପୋଲିସ ହସ୍ତାନ୍ତର କରିଛି ।

Leave A Reply

Your email address will not be published.