ଦେଓଘର: ଝାଡ଼ଖଣ୍ଡର ଦେଓଘରରେ ମର୍ମନ୍ତୁଦ ଦୁର୍ଘଟଣା । କାଉଡ଼ିଆଙ୍କୁ ନେଇଯାଉଥିବା ବସ୍ କୁ ଧକ୍କା ଦେଲା ଟ୍ରକ୍ ଫଳରେ ୧୮ ଜଣ କାଉଡ଼ିଆଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏଥିରେ ୧୨ରୁ ଅଧିକ କାଉଡିଆ ଆହତ ହୋଇଥିବା ସୂଚନା ରହିଛି । ସମସ୍ତ ଆହତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ମୁତାବକ, ବାବା ବୈଦ୍ୟନାଥଙ୍କ ପୀଠରେ ପାଣି ଢାଳି ବାସୁକିନାଥ ଯାଉଥିବା କାଉଡିଆ ଭର୍ତ୍ତି ଏକ ବସ୍ ମୋହନପୁର ଥାନା ଅଞ୍ଚଳର ଜାମୁନିଆରେ ଏଲପିଜି ସିଲିଣ୍ଡର ବୋଝେଇ ଟ୍ରକ୍ ସହିତ ଧକ୍କା ହୋଇଥିଲା । ଧକ୍କା ଏତେ ଜୋରଦାର ଥିଲା ଯେ ୫ ଜଣ କାଉଡିଆଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଅନ୍ୟ ୧୩ ଜଣଙ୍କର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।
ଏଥିରେ ବସ୍ ଡ୍ରାଇଭରଙ୍କର ମଧ୍ୟ ମୃତ୍ୟୁ ହୋଇଛି । ପ୍ରାୟ ୧୨ରୁ ଅଧିକ କାଉଡିଆ ଆହତ ହୋଇଛନ୍ତି । ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଆମ୍ବୁଲାନ୍ସ ମାଧ୍ୟମରେ ମୋହନପୁର ସିଏଚସିକୁ ପଠାଇଥିଲେ । ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ରହିଛି । ଏହି ଦୁର୍ଘଟଣା ମଙ୍ଗଳବାର ସକାଳ ୫ରୁ ୬ଟା ମଧ୍ୟରେ ଘଟିଛି । ଅନ୍ୟପଟେ ମୃତକଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ମଧ୍ୟ ପଠାଯାଇଛି । ଦୁର୍ଘଟଣାରେ କାଉଡିଆ ଭର୍ତ୍ତି ବସ୍ ଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି ।
Comments are closed.