Latest Odisha News

BREAKING NEWS

ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ରେକର୍ଡ, ୪୦ ଡିଗ୍ରୀ ଉପରେ ୧୮ଟି ସ୍ଥାନ

ଭୁବନେଶ୍ୱର: ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପରେ ଆଜି କିଛି ସ୍ଥାନରେ ତାପମାତ୍ରାରେ ଆଂଶିକ ଆଶ୍ୱସ୍ତି ମିିଳିଛି। ମଙ୍ଗଳବାର ୧୮ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସୋମବାର କିନ୍ତୁ ସୋମବାର ୩୧ଟି ସ୍ଥାନ ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସନ୍ଧ୍ୟା ବୁଲେଟିନ୍ ଅନୁଯାୟୀ, ଆଜି ରାଜ୍ୟର ୯ଟି ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ତଳେ ରହିଛି। ୪୪.୩ ଡିଗ୍ରୀ ସହ ସମ୍ବଲପୁର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି, ଯାହାକି ସ୍ୱାଭାବିକ ତାପମାତ୍ରାଠାରୁ ୬.୩ ଡିଗ୍ରୀ ଅଧିକ।

ଏହା ପଛକୁ ହୀରାକୁଦ ୪୩.୭ ଡିଗ୍ରୀ ରହିଥିଲା, ଝାରସୁଗୁଡ଼ା ୪୩.୪ ଡିଗ୍ରୀ, ସୁନ୍ଦରଗଡ଼ ଓ ଦେବଗଡ଼ରେ ୪୨.୮ ଡିଗ୍ରୀ, ରାଉରକେଲା ୪୨.୬ ଡିଗ୍ରୀ, ବଲାଙ୍ଗୀର ଓ ବୌଦ୍ଧରେ ୪୨.୫ ଡିଗ୍ରୀ ଓ ନୂଆପଡ଼ାରେ ୪୨ ଡିଗ୍ରୀ ରହିଛି।

ସୋମବାର ଭୁବନେଶ୍ୱରରେ ତାପମାତ୍ରା ୪୪.୩ ଡିଗ୍ରୀ ରେକର୍ଡ କରାଯାଇଛି, ଯାହା ଗତ ୧୧ ବର୍ଷ ମଧ୍ୟରେ ସର୍ବାଧିକ। ମଙ୍ଗଳବାର ପାରଦ ୩୪.୨ ଡିଗ୍ରୀକୁ ଖସି ଆସିଥିବା ବେଳେ ଗତକାଲିର ରାତିସାରା ବର୍ଷା ଯୋଗୁଁ ଆଶ୍ୱସ୍ତି ମିଳିଛି। ଆଜି କଟକରେ ୩୫.୮ ଡିଗ୍ରୀ ରେକର୍ଡ କରାଯାଇଛି।

ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଆଗାମୀ ୫ ଦିନ ମଧ୍ୟରେ ରାଜ୍ୟର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ଗୋଟିଏ ଦୁଇଟି ସ୍ଥାନରେ ୪-୬ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ସ୍ୱାଭାବିକଠାରୁ ଅଧିକ ହୋଇପାରେ।

ପାଣିପାଗ ବିଭାଗ ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି ଯେ ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ରହିଛି। ସେହିପରି ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

Leave A Reply

Your email address will not be published.