Latest Odisha News

BREAKING NEWS

ଆରମ୍ଭ ହେଲା ‘ଏସୀୟ କ୍ରୀଡ଼ା’: ଓଡ଼ିଶାରୁ ୧୨ ଜଣ ଖେଳାଳିଙ୍କ ଅଂଶଗ୍ରହଣ

ଭୁବନେଶ୍ୱର: ଶନିବାରଠାରୁ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାଠାରେ ଆରମ୍ଭ ହୋଇଛି ୧୮ତମ ଏସୀୟ କ୍ରୀଡ଼ା ପ୍ରତିଯୋଗିତା । ଏସିଆନ ଗେମ୍ସର ଉଦଘାଟନୀ ରଙ୍ଗାରଙ୍ଗ ଉତ୍ସବରେ ପ୍ରାୟ ୪ହଜାର ନୃତ୍ୟଶିଳ୍ପୀଙ୍କୁ ନେଇ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଏସୀୟ କ୍ରୀଡ଼ା ଅଗଷ୍ଟ ୧୮ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୨ ତାରିଖ ଯାଏ ଦୀର୍ଘ ୨ସପ୍ତାହ ଧରି ଚାଲିବ । ଏହି କ୍ରୀଡ଼ା ମହାକୁମ୍ଭରେ ଏସିଆ ମହାଦେଶର ୪୫ଟି ଦେଶ ଭାଗ ନେଉଛନ୍ତି ।

ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ ସମସ୍ତ ରାଷ୍ଟ୍ରର ଖେଳାଳିଙ୍କୁ ଉଦବୋଧନ ଦେବାପରେ ଏସୀୟ ମଶାଲରେ ଅଗ୍ନି ସଂଯୋଗ କରିଥିଲେ । ଆଫଗାନିସ୍ତାନ ପ୍ରଥମ ଦେଶ ଭାବେ ପତାକା ବହନ କରି ପ୍ୟାରେଡ଼ରେ ଚାଲିଥିଲେ ଏବଂ ଶେଷ ଦେଶଭାବେ ଆୟୋଜକ ଇଣ୍ଡୋନେସିଆ ପତାକା ବହନ କରି ଘରୋଇ ଦର୍ଶକଙ୍କ ଅଭିବାଦନ ଗ୍ରହଣ କରିଥିଲେ ।

ଆଜିର ଉଦଘାଟନୀ ଉତ୍ସବର ଖେଳାଳିମାନଙ୍କ ପ୍ୟାରେଡ଼ରେ ଭାରତୀୟ ଆଥଲେଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଖେଳାଳି ନୀରଜ ଚୋପ୍ରା ଭାରତୀୟ ଜାତୀୟ ପତାକା ଧରି ଭାରତୀୟ ପ୍ରତିଯୋଗୀଙ୍କ ନେତୃତ୍ୱ ନେଉଛନ୍ତି । ଏହି ଉଦଘାଟନୀ ଉତ୍ସବ ଜାକର୍ତ୍ତାର ଗେଲୋରା ବୁଂଗ୍ କର୍ଣ୍ଣୋ ମୁଖ୍ୟ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେଉଛି । ହଜାର ହଜାର ଦର୍ଶକଙ୍କ ଉପସ୍ଥିତିରେ ଆତସବାଜି ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ସମସ୍ତ ଏସୀୟବାସୀ ଦେଖୁଛନ୍ତି । ୪୫ଟି ଦେଶର ପ୍ରାୟ ୧୦ହଜାରରୁ ଅଧିକ ଆଥଲେଟ ଏହି ଉତ୍ସବରେ ଉପସ୍ଥିତ ରହିଛନ୍ତି ।

ଏହି ‘ଏସୀୟ କ୍ରୀଡ଼ା’ରେ ୪୦ଟି କ୍ରୀଡ଼ାରେ ୪୬୫ଟି ଇଭେଣ୍ଟ୍ରେ ପ୍ରତିଦ୍ୱନ୍ଦିତା ହେବ । ଏହି ଏସିଆଡ଼ରେ ଭାରତ ୩୬ଟି ଖେଳରେ ଅଂଶଗ୍ରହଣ କରୁଛି । ଭାରତ ପକ୍ଷରୁ ୮୭୨ଜଣ ଖେଳାଳି ବିଭିନ୍ନ ପ୍ରତିଦ୍ୱନ୍ଦିତାରେ ଅଂଶଗ୍ରହଣ କରୁଛନ୍ତି ।

ଗତ ୨୦୧୪ ଇଞ୍ଚିୟନ ଏସୀୟ କ୍ରୀଡ଼ାରେ ଭାରତ ୧୧ଟି ଗୋଲ୍ଡ ମେଡ଼ାଲ ସହିତ ମୋଟ ୫୭ଟି ପଦକ ହାସଲ କରିଥିଲା । କିନ୍ତୁ ଏଥର ଭାରତ ନିଶ୍ଚିତ ରୂପେ ଭଲ ପ୍ରଦର୍ଶନ କରି ଅଧିକ ସ୍ୱର୍ଣ୍ଣ ପଦକ ହାସଲ କରିବାର ସମ୍ଭାବନା ରହିଛି ।

ସବୁଠାରୁ ଆନନ୍ଦର କଥାହେଲା ଏସୀୟ କ୍ରୀଡ଼ା ଲାଗି ଓଡ଼ିଶା ଏଥର ଏକ ସର୍ବକାଳୀନ ରେକର୍ଡ଼ କରିଛି । ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଅନୁଷ୍ଠିତ ହେଉଥିବା ଏହି ୧୮ତମ ‘ଏସୀୟ କ୍ରୀଡ଼ା’ରେ ଓଡ଼ିଶାରୁ ୧୨ଜଣ ଖେଳାଳି ବିଭିନ୍ନ ପ୍ରତିଯୋଗିତାରେ ପ୍ରତିଦ୍ୱନ୍ଦିତା କରିବେ ।

କେବଳ ହକିରେ ଭାଗ ନେଉଛନ୍ତି ୬ଜଣ ଓଡ଼ିଆ ଖେଳାଳି । ୪ଜଣ ଓଡ଼ିଆ ଭାରତୀୟ ମହିଳା ଦଳରେ ସାମିଲ ହୋଇଥିବା ବେଳେ ୨ଜଣ ଓଡ଼ିଆ ଖେଳାଳି ପୁରଷ ହକି ଦଳରେ ଅନ୍ତଭୃକ୍ତ ହୋଇଛନ୍ତି । ମହିଳା ହକି ଦଳରେ ସାମିଲ ହୋଇଥିବା ଓଡ଼ିଆ ଖେଳାଳି ହେଲେ – ନମିତା ଟପ୍ପୋ, ସୁନିତା ଲାକ୍ରା, ଦୀପ୍ ଗ୍ରେସ ଏକ୍କା ଏବଂ ଲିଲିମା ମିଞ୍ଜ । ସେହିପରି ଭାରତୀୟ ପୁରୁଷ ହକି ଦଳରେ ଅମିତ୍ ରୋହିଦାସ ଏବଂ ବୀରେନ୍ଦ୍ର ଲାକ୍ରା ପ୍ରତିନିଧିତ୍ୱ କରୁଛନ୍ତି ।

ସେହିପରି ଭାରତୀୟ ଆଥଲେଟ ଦଳକୁ ପ୍ରତିନିଧିତ୍ୱ କରୁଛନ୍ତି ଭାରତର ଶ୍ରେଷ୍ଠ ଧାବିକା ତଥା ଓଡ଼ିଆ ଝିଅ ଅଲିମ୍ପିଆନ ଦୂତି ଚାନ୍ଦ । ଏହି ଦୌଡ଼କୁଦ ଦଳରେ ପୂର୍ଣ୍ଣିମା ହେମ୍ବ୍ରମ୍ ଓ ଜଉନା ମୁର୍ମୁ ମଧ୍ୟ ସାମିଲ ହୋଇଛନ୍ତି ।

ସବୁଠାରୁ ଚର୍ଚ୍ଚାର କଥାହେଲା ମହିଳା ବ୍ୟାଡମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡା ଭାରତୀୟ ଦଳର ଡ଼ବଲ୍ସ ଦଳରେ ସାମିଲ ହୋଇ ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି । ଋତୁପର୍ଣ୍ଣା ଆଇକନ୍ ଖେଳାଳି ସାଇନା ନେହୱାଲ ଓ ପିଭି ସିନ୍ଧୁଙ୍କ ସହିତ ଏହି ଏସୀୟ କ୍ରୀଡ଼ା ଦଳରେ ଭାଗ ନେଉଛନ୍ତି ।

ଜିମ୍ନାଷ୍ଟିକରେ ପ୍ରତିଭାବାନ ଓଡ଼ିଆ ଜିମ୍ନାଷ୍ଟ ରାକେଶ ପାତ୍ର, ନୌଚାଳନାରେ ସଞ୍ଜୁକ୍ତା ଡ଼ୁଙ୍ଗଡୁଙ୍ଗ ଏହି ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରୁଛନ୍ତି ।

ତେବେ ଯାହାବି ହେଉ ଓଡ଼ିଶାର କ୍ରୀଡ଼ାପ୍ରେମୀମାନେ ଦୂତି ଚାନ୍ଦ, ଜଉନା ମୁର୍ମୁ ଓ ପୂର୍ଣ୍ଣିମା ତଥା ଉଭୟ ମହିଳା ଓ ପୁରୁଷ ହକି ଦଳଠାରୁ ପଦକ ନିଶ୍ଚିତ ହାସଲ ଆଶା କରୁଛନ୍ତି ।

Leave A Reply

Your email address will not be published.