Latest Odisha News

ପାକିସ୍ତାନୀ ଯୁବତୀଙ୍କ ଦେହରେ ପ୍ରତିରୋପଣ ହେଲା ଭାରତୀୟଙ୍କ ହୃଦୟ

ନୂଆଦିଲ୍ଲୀ: ନୂଆ ଜୀବନ ପାଇଲେ ପାକିସ୍ତାନୀ ଯୁବତୀ । ପାକିସ୍ତାନୀ ଯୁବତୀଙ୍କ ଦେହରେ ଲାଗିଲା ଭାରତୀୟଙ୍କ ହୃଦୟ । ଏହି କାହାଣୀ ହେଉଛି ଫ୍ୟାଶନ୍ ଡିଜାଇନର ହେବାକୁ ଚାହୁଁଥିବା ଜଣେ ୧୯ ବର୍ଷିୟ ପାକିସ୍ତାନୀ ଝିଅ ଆୟେଶା ରଶନର ।

ସୂଚନା ଅନୁସାରେ, ଆୟେଶା ରଶନ ଗତ ୧୦ ବର୍ଷ ଧରି ହୃଦଘାତରେ ପୀଡିତ ଥିଲେ । ବର୍ତ୍ତମାନର ପାକିସ୍ତାନର ସ୍ଥିତି କାରଣରୁ ସେଠାରେ ତାଙ୍କର ଉତ୍ତମ ଚିକିତ୍ସା ସମ୍ଭବ ହେଉନଥିଲା । ଏହା ପରେ ସେ ତାଙ୍କର ଚିକିତ୍ସା ପାଇଁ ୨୦୧୪ରେ ଭାରତ ଆସିଥିଲେ । ଧିରେ ଧିରେ ତାଙ୍କର ସ୍ଵାସ୍ଥ୍ୟବସ୍ତା ଖରାପ ହେବାକୁ ଲାଗିଲା । ତାଙ୍କ ହୃଦୟ ସତେ ଯେପରି ପୁରା କାମ କରିବା ବନ୍ଦ କରିଦେଇଥିଲା । ଏହା ପରେ ଆୟେଶାଙ୍କ ଜୀବନ ବଞ୍ଚାଇବା ପାଇଁ ହୃଦୟ ପ୍ରତିରୋପଣ ହିଁ ଏକମାତ୍ର ବାଟ ବୋଲି କହିଥିଲେ ଡାକ୍ତର । ହୃଦୟ ପ୍ରତିରୋପଣ ପାଇଁ ଖର୍ଚ୍ଚ ହେବାକୁ ଥିବା ୩୫ଲକ୍ଷ ଟଙ୍କା ଦେବାକୁ ପରିବାର ଅସମର୍ଥ ବୋଲି କହିବା ପରେ ଅସ୍ତ୍ରୋପଚାର କରୁଥିବା ଡାକ୍ତର ଓ ଟ୍ରଷ୍ଟ ଏହି ଖର୍ଚ୍ଚ ଉଠାଇବାକୁ ନିଷ୍ପତ୍ତି ନେଇଥିଲେ ।

ତେବେ ଛଅ ମାସ ପୂର୍ବରୁ ଆୟେଶାଙ୍କୁ ଦିଲ୍ଲୀର ଏକ ହାର୍ଟ ଡୋନର ମିଳିଥିଲେ । ଏମଜିଏମ ହେଲଥ କେୟାରରେ ତାଙ୍କର ମାଗଣା ଅସ୍ତ୍ରୋପଚାର କରାଯାଇଥିଲା । ବର୍ତ୍ତମାନ ଅସ୍ତ୍ରୋପଚାର ପରେ ସମ୍ପୁର୍ଣ୍ଣ ସୁସ୍ଥ ହୋଇଛନ୍ତି ଆୟେଶା । ସେହି ହାର୍ଟ ଜଣେ ୬୯ ବର୍ଷିୟ ବ୍ୟକ୍ତିଙ୍କର ଥିଲା । ଅସ୍ତ୍ରୋପଚାର କରୁଥିବା ଡାକ୍ତରଙ୍କ କହିବା ମୁତାବକ, ଡୋନର ଖୋଜିବା ପାଇଁ ବେଶୀ ସମୟ ଲାଗିନଥିଲା। ସହଜରେ ଆୟେଶାଙ୍କୁ ଦିଲ୍ଲୀରୁ ଡୋନର ମିଳିଥିଲେ। ଅସ୍ତ୍ରୋପଚାର ପରେ ଏବେ ସେ ସୁସ୍ଥ ଅଛନ୍ତି ଏବଂ ପାକିସ୍ତାନ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି।

ସଫଳ ଅସ୍ତ୍ରୋପଚାର ପରେ ଆୟେଶାଙ୍କ ମା ଭାରତୀୟ ଡାକ୍ତରମାନଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ, ଯେତେବେଳେ ମୋ ଝିଅ ଭାରତୀୟ ମାଟିରେ ପାଦ ରଖିଥିଲା ସେତେବେଳେ ତା’ର ବଞ୍ଚିବାର ସମ୍ଭାବନା ମାତ୍ର ୧୦ ପ୍ରତିଶତ ଥିଲା । କିନ୍ତୁ ବର୍ତ୍ତମାନ ସେ ସମ୍ପୁର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ତାଙ୍କ ହୃଦୟରେ ଜଣେ ଭାରତୀୟଙ୍କ ହୃଦୟ ଧକ୍‌ ଧକ୍‌ କରୁଛି । ଏଥିପାଇଁ ଭାରତ ସରକାରଙ୍କୁ ଏବଂ ଡାକ୍ତରମାନଙ୍କୁ ଧନ୍ୟବାଦ ଦେଇଛନ୍ତି ।

Leave A Reply

Your email address will not be published.