Latest Odisha News

BREAKING NEWS

ଅମିତାଭ ବଚ୍ଚନଙ୍କୁ ମିଳିଲା ‘ଲତା ଦିନାନାଥ ମଙ୍ଗେସକର ଆୱାର୍ଡ’

ମୁମ୍ବାଇ: ବୁଧବାର ମୁମ୍ବାଇରେ ‘ଲତା ଦିନାନାଥ ମଙ୍ଗେସକର ଆୱାର୍ଡ’ ଶୋ’ ଆୟୋଜିତ ହୋଇଯାଇଛି । ଏହି ଆଓ୍ବାର୍ଡ ସେଇମାନଙ୍କୁ ଦିଆଯାଏ ଯିଏ ରାଷ୍ଟ୍ର ଓ ସମାଜ ପାଇଁ ଉତ୍କୃଷ୍ଟ ମାନର କାମ କରିଥାନ୍ତି । ଏହି ସମ୍ମାନ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ଦିଆଯାଇଥିଲା । ଚଳିତବର୍ଷ ବଲିଉଡର ଭେଟେରାନ ଆକ୍ଟର ଅମିତାଭ ବଚ୍ଚନଙ୍କ ସମେତ, ରଣଦୀପ ହୁଡ୍ଡା ଏବଂ ଲୋକପ୍ରିୟ ସଙ୍ଗୀତକାର, କଣ୍ଠଶିଳ୍ପୀ ଏଆର ରେହମାନଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନେକ ବଲିଉଡ ସେଲିବ୍ରେଟ୍ ଅଂଶଗ୍ରହଣ କରିଥିଲେ ।

ଅମିତାଭ ବଚ୍ଚନ ‘ଜଞ୍ଜୀର’, ‘ଦିୱାର’, ‘ଶୋଲେ’, ‘ଚୁପକେ-ଚୁପକେ’, ‘ମୋହବୋତେଁ’ ଏବଂ ‘ପିକୁ’ ଭଳି ଚଳଚ୍ଚିତ୍ରରେ ତାଙ୍କର ଚମତ୍କାର ଅଭିନୟ ପାଇଁ ସେ ବେଶ ଜଣାଶୁଣା । ତେବେ ଏହି ସମ୍ମାନ ପାଇବା ପରେ ବିଗ୍ ବି କହିଛନ୍ତି ଯେ, ‘ମୁଁ କେବେ ଭାବି ନଥିଲି ଯେ ଏହି ସମ୍ମାନ ମତେ ପ୍ରାପ୍ତ ହେବ । ଏହି ପୁରସ୍କାର ପାଇ ମୁଁ ନିଜକୁ ଗର୍ବିତ ମନେ କରୁଛି । ମୁଁ ବହୁତ କଷ୍ଟ କରି ଏହି ସ୍ଥାନରେ ପହଞ୍ଚି ପାରିଛି । ମତେ ଏହି ସମ୍ମାନ ପାଇଁ ଯୋଗ୍ୟ ଭାବିଥିବାରୁ ମୁଁ ହୃଦୟରୁ ଧନ୍ୟବାଦ ଜଣାଉଛି’ ।

ସେହିପରି ରଣଦୀପ ହୁଡ୍ଡାଙ୍କୁ ତାଙ୍କ ନୂଆ ରିଲିଜ୍ ଫିଲ୍ମ ‘ସ୍ୱତନ୍ତ୍ର ବୀର ସାବରକର’ ପାଇଁ ‘ଲତା ଦିନାଥ ମଙ୍ଗେଶକର’ ପୁରସ୍କାରରେ ସମ୍ମାନିତ କରାଯାଇଛି । ଫିଲ୍ମ ରେ ତାଙ୍କର ଅଭିନୟକୁ ବହୁତ ପ୍ରଶଂସା କରାଯାଇଛି ।

ସୂଚନାଯୋଗ୍ୟ, ୨୦୨୨ ମସିହାରେ ସ୍ୱରସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଦେହାନ୍ତ ପରେ ତାଙ୍କ ପରିବାର ଏବଂ ଟ୍ରଷ୍ଟ ଗାୟିକାଙ୍କ ସ୍ମୃତିରେ ‘ଲତା ଦିନାନାଥ ମଙ୍ଗେସକର ଆୱାର୍ଡ’ ପୁରସ୍କାର ପ୍ରତିଷ୍ଠା କରିଥିଲେ । ଲତା ମଙ୍ଗେସକରଙ୍କର ସମସ୍ତ ଚାରି ଭାଇ ଓ ଭଉଣୀ ଏହି ସମାରୋହରେ ଯୋଗଦେଇ ପୁରସ୍କାର ପ୍ରଦାନ କରନ୍ତି । ଏହି ପୁରସ୍କାର ଯେଉଁମାନେ ଦେଶ ଏବଂ ସମାଜ ପାଇଁ କିଛି ଭଲ କାମ କରିଛନ୍ତି ସେମାନଙ୍କୁ ଦିଆଯାଏ । ୨୦୨୨ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ତାଙ୍କ ପରେ ୨୦୨୩ରେ ଆଶା ଭୋସଲେଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।

ଚଳିତ ସମାରୋହରେ ଏହି ପୁରସ୍କାର ଆଶା ଭୋସଲେ ପ୍ରଦାନ କରିବାକୁ ଥିବାବେଳେ, ଅସୁସ୍ଥତା କାରଣରୁ ତାଙ୍କ ତିନି ନମ୍ବର ଭଉଣୀ ଉଷା ମଙ୍ଗେସକର ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ ।

Leave A Reply

Your email address will not be published.