ୱାଶିଂଟନ: ଆମେରିକାରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତ ଛାତ୍ର ଶ୍ରେୟାସ ରେଡ୍ଡୀ ବେନିଗେରି । ତେବେ ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସେ ଓହିଓର ଲିଣ୍ଡର ସ୍କୁଲ ଅଫ ବିଜନେସରେ ପାଠ ପଢ଼ୁଥିଲେ । ଶ୍ରେୟାସଙ୍କ ମୃତ୍ୟୁକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି ଇଣ୍ଡିଆନ୍ ମିଶନ ଇନ୍ ନ୍ୟୁୱର୍କ ।
ଚଳିତବର୍ଷ ଏହାକୁ ମିଶାଇ ଆମେରିକାରେ ୪ ଜଣ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହେଲାଣି । ଗୋଟିଏ ସପ୍ତାହ ମଧ୍ୟରେ ଏହା ହେଉଛି ତୃତୀୟ ମାମଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜାନୁଆରୀ ୨୯ରେ ବିବେକ ସାଇନି ନାମକ ଜଣେ ଭାରତୀୟ ଛାତ୍ରଙ୍କୁ ଜର୍ଜିଆରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ବିବେକଙ୍କୁ ଛରି ଭୁଶିବା ସହ ହାତୁଡ଼ି ପଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା।
ଏହି ସପ୍ତାହରେ ନୀଲ ଆଚାର୍ଯ୍ୟ ନାମକ ଜଣେ ଭାରତୀୟ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ପରଡ୍ୟୁ ବିଶ୍ବବିଦ୍ୟାଳୟ ପରିସରରୁ ନୀଲ ଆଚାର୍ଯ୍ୟଙ୍କ ମୃତଦେହ ମିଳିଥିଲା । ଅକୁଲ ଧାୱନ ନାମକ ଭାରତୀୟ ଛାତ୍ରଙ୍କର ବି ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ଇଲିନୋଇସ୍ ୟୁନିଭରସିଟିରୁ ବୈଦ୍ୟୁତିକ ଇଞ୍ଜିନିୟରିଂ ପଢୁଥିବା ୧୮ବର୍ଷୀୟ ଭାରତୀୟ ଛାତ୍ର ଅକୁଲ ଧାୱନଙ୍କ ମୃତଦେହ ଜାନୁଆରୀ ମାସରେ ମିଳିଥିଲା।
Comments are closed.