Latest Odisha News

BREAKING NEWS

ସଂସଦ ଆକ୍ରମଣ ଘଟଣାକୁ ୧୯ ବର୍ଷ, ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ସଂସଦ ଉପରେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଆଜି ୧୯ ବର୍ଷ ପୁରିଛି । ୨୦୦୧ ମସିହା ଆଜିର ଦିନରେ ଗଣତନ୍ତ୍ର ମନ୍ଦିର ଉପରେ ହୋଇଥିଲା ହମଲା । ଲସ୍କର-ଏ-ତୋଇବା ଓ ଜୈସ-ଏ-ମହମ୍ମଦ ସଂଗଠନର ୫ ଆତ୍ମଘାତୀ ଆତଙ୍କବାଦୀ ସଂସଦ ଭବନରେ ପ୍ରବେଶ କରିଥିଲେ । ସେତେବେଳେ ଲୋକସଭା ଅଧିବେଶନ ଚାଲିଥିଲା ।

ଛଦ୍ମବେଶରେ ପ୍ରବେଶ କରି ଗୁଳି ଚଳାଇଥିଲେ ଆତଙ୍କବାଦୀ । ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ସମସ୍ତ ଆତଙ୍କବାଦୀ ନିହତ ହୋଇଥିଲେ । ଆତଙ୍କବାଦୀଙ୍କ ଆକ୍ରମଣରେ ଦିଲ୍ଲୀ ପୋଲିସର ପାଞ୍ଚ ଜଣ ସୁରକ୍ଷାକର୍ମୀ, ସିଆରପିଏଫର ଜଣେ ମହିଳା କନଷ୍ଟେବଳ, ଦୁଇ ଜଣ ସିକ୍ୟୁରିଟି ଆସିଷ୍ଟାଣ୍ଟଙ୍କ ସମେତ ୯ ଜଣ ସହିଦ ହୋଇଥିଲେ । ଜଣେ ମାଳି ଓ ଫଟୋ ସାମ୍ବାଦିକ ବି ପ୍ରାଣ ହରାଇଥିଲେ ।

ସଂସଦ ଭବନ ଆକ୍ରମଣରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ୨୦୦୧ରେ ଆଜିର ଦିନରେ ଆମ ସଂସଦ ଉପରେ ଆକ୍ରମଣ ହୋଇଥିଲା । ଏହି ଭୟଙ୍କର ଆକ୍ରମଣକୁ ଆମେ କେବେ ବି ଭୁଲିପାରିବୁ ନାହିଁ । ସଂସଦର ସୁରକ୍ଷା ପାଇଁ ବୀର ଯବାନଙ୍କ ଅଦମ୍ୟ ବୀରତ୍ୱ ଓ ବଳିଦାନକୁ ଦେଶ ମନେ ପକାଉଛି । ଭାରତ ସେହି ବୀର ଯବାନଙ୍କ ନିକଟରେ ସର୍ବଦା କୃତଜ୍ଞ ।

Leave A Reply

Your email address will not be published.