ଭୁବନେଶ୍ବର: ୧୯୯୯ ମସିହା ଅକ୍ଟୋବର ୨୯ ତାରିଖ, ଶୁକ୍ରବାର ଏହାକୁ ଚାହିଁଲେ ବି କେହି ମନରୁ ପାସୋରି ପାରିବେନି । କାରଣ ଏହି ଦିନ ଥିଲା ଏକ କାଳ ଦିନ । ଆଜିର ଦିନରେ ତାଣ୍ଡବ ରଚିଥିଲା ପ୍ରକୃତି । ଉଜାଡି ଦେଇଥିଲା ଅନେକ ସୁନାର ହସ ଖୁସିର ସଂସାର । ମହାବାତ୍ୟା ସିନା ଚାଲିଯାଇଛି ହେଲେ ପଛରେ ଛାଡ଼ି ଦେଇଯାଇଛି ଅନେକ ଦୁଃଖର ଦାଗ । ଆଜି ବି ରାଜ୍ୟବାସୀଙ୍କ ମନରୁ ଲିଭିନାହିଁ ତାଣ୍ଡବ ରଚିଥିବା ସେହି କାଳରାତିର ଦୃଶ୍ୟ । ସେଦିନର କଥାକୁ ମନେ ପକାଇଲେ ଅଙ୍ଗେ ଲିଭାଇଥିବା ଲୋକଟିର ଛାତି କୋହରେ ଭରି ଯାଉଛି ।
ଜୁଆଡେ ଦେଖୁଥିଲେ ବିଶେଷ କରି ଉପକୂଳ ଅଞ୍ଚଳରେ ଖାଲି କୁଢ କୁଢ ଶବ ଦେଖିବାକୁ ମିଳୁଥିଲା । ସବୁଆଡ଼େ ଥିଲା ଆର୍ତ୍ତ ଚିତ୍କାର । ଏହା ସହ ଆହୁରି ଭୟଙ୍କର କରିଥିଲା ଭୋକ । ସେହି ପ୍ରଳୟଙ୍କରୀ ୯୯ ମହାବାତ୍ୟାକୁ ପୂରିଛି ୨୫ ବର୍ଷ ।
ଘଣ୍ଟା ପ୍ରତି ୩ ଶହ କିଲୋମିଟର ବେଗର ବହିଥିଲା ପବନ । ମାଟିରେ ଲୋଟୁଥିଲା ଘର ଦ୍ବାର । ମୂଷଳଧାରାର ବର୍ଷା ସାଙ୍ଗକୁ ମାଡି ଆସୁଥିଲା ସମୁଦ୍ର ଜୁଆର । ଯେଉଁଥିରେ ନିଶ୍ଚିହ୍ନ ହୋଇଗଲା ଅନେକ ସମୁଦ୍ରକୂଳିଆ ଗାଁ । ମହାବାତ୍ୟାରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳ । ମହାବାତ୍ୟାରେ ଏରସମାର ଜପା ପଞ୍ଚାୟତରେ ସର୍ବାଧିକ ୨୨୦୦ ଲୋକଙ୍କ ଯାଇଥିଲା ଜୀବନ । କିଏ ନିଜର ରୋଜଗାରିଆ ଭେଣ୍ଡିଆ ପୁଅକୁ ହରାଇଥିଲା ତ ଆଉ କେଉଁ ମାଆ ତାର ଛୁଆକୁ ଆଖି ଆଗରେ ଅସହାୟ ଭାବେ ପ୍ରାଣ ହରାଉଥିବା ଦେଖି ବଞ୍ଚି ଥାଉ ଥାଉ ନିର୍ଜିବ ପାଲଟିଯାଉଥିଲା । ପୁଣି ଆଉ କେଉଁ ସ୍ତ୍ରୀ ତା’ର ସ୍ବାମୀକୁ ହରାଇ ସ୍ଥାଣୁ ପାଲଟିଯାଉଥିଲା ।
ଖାଲି ମଣିଷ ନୁହେଁ ଏହି ମହାବାତ୍ୟାରେ ଅନେକ ପଶୁ ପକ୍ଷୀ ଜୀବ ଜନ୍ତୁ ମାନଙ୍କର ମଧ୍ୟ ପ୍ରାଣହାନୀ ଘଟିଥିଲା ।
ତେବେ ୯୯ ମହାବାତ୍ୟା ମଣିଷକୁ ଲଢ଼ିବା ଶିଖେଇ ଦେଲା । ଆଗୁଆ ପ୍ରସ୍ତୁତି କେମିତି କରାଯାଏ ତାହା ଶିଖାଇ ଦେଲା । ମହାବାତ୍ୟା ପରେ ସମୁଦ୍ର କୂଳରେ ଅନେକ ଆଶ୍ରୟ ସ୍ଥଳୀ ନିର୍ମାଣ ହୋଇଛି । ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କ୍ଷେତ୍ରରେ ନୂତନ ଜ୍ଞାନକୌଶଳ ପ୍ରୟୋଗ କରାଯାଇଛି । ପରବର୍ତ୍ତୀ ସମୟରେ ଓଡ଼ିଶାକୁ ଆସିଥିବା ବାତ୍ୟା ଆକଳନରେ ପାଣିପାଗର ସଠିକ୍ ପୂର୍ବାନୁମାନ ଏବଂ ଗଣମାଧ୍ୟମର ବ୍ୟାପକ ଖବର ପ୍ରସାରଣ ଯୋଗୁଁ ଲୋକେ ସତର୍କ ହେଉଛନ୍ତି ।
ସାରା ବିଶ୍ବରେ ଏବେ ବାତ୍ୟା ମୁକାବିଲାରେ ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ଅନୁକରଣ କରାଯାଉଛି । ହେଲେ ବାତ୍ୟା ପ୍ରାକୃତିକ ବିପର୍ଯ୍ୟୟର ଦୀର୍ଘସ୍ଥାୟୀ ମୁକାବିଲା ଉପରେ ଗୁରୁତ୍ବ ଦିଆଗଲେ ପ୍ରତିବର୍ଷ ଓଡ଼ିଶାକୁ ଆସୁଥିବା ବାତ୍ୟା ହ୍ରାସ ପାଆନ୍ତା ।
Comments are closed.