ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ସବୁ ତ ବିଭିନ୍ନ ପ୍ରକାର
ଭାଷାରେ କିଛି ନୁହେ ସ୍ଥିର
ଯାହାଂକ ଯେଉଁ ଭଳି ମନ
କରଂତି କଥନ, ଲିଖନ
ତେଣୁ ତ ଭାଷା ଚଳମାନ
ଏହି ସତ୍ୟକୁ ଦେଉଁ ଧ୍ୟାନ
ଭାଷାରେ ଯାହା ସତେ ଚଳେ
ସେ ସବୁ କେହି ନ ଲେଖିଲେ
ମିଳେନି ପୂରା ପରିଚୟ
ଘଟେ ଭାଷାର ଅବକ୍ଷୟ
ଅଧିକ ଆଡ଼ଂବରମୟ
ଭାଷାର ଘଟଇ ବିଲୟ
ଲୋକଭାଷାକୁ ଦେଇ ଧ୍ୟାନ
କରିଲେ କଥନ, ଲିଖନ
ମିଳଇ ସମସ୍ତଂକୁ ଜ୍ଞାନ
ଭାଷା ବି ହୁଏ ବଳୀୟାନ
ଲୋକଂକୁ କରିଲେ ଉପେକ୍ଷା
ଭାଷାକୁ ମିଳେନି ସୁରକ୍ଷା
ଲୋକେ ହିଁ ଭାଷାର ରକ୍ଷକ,
ନୁହଂତି କବି କି ଲେଖକ
ଭାଷାବିଜ୍ଞାନୀ କେତେ ଜଣ
କରଂତି ପୋଥି ଅଧ୍ୟୟନ
ଚଳିତ ସ୍ବଭାଷାର ଜ୍ଞାନ
ପାଏନି ଚକ୍ଷୁ କି ନୟନ
ଲୋକଭାଷାକୁ କରି ଆଡ଼
ଦେଲେ ଅଯଥା ଗାଳି, ମାଡ଼
କଥିତ ଭାଷାର ସ୍ବରୂପ
ହୁଏନି କୁରୂପ, ସୁରୂପ
ଭାଷାଟେ ହେଲେ ଜନାଶ୍ରୟୀ
ଆଗକୁ ଯାଇପାରେ ବହି
ଯେଣୁ ସୁଜ୍ଞାନୀ ବୁଝଂତିନି
ଅଟକି ଶଢ଼ୁଥାଏ ବାଣୀ
Comments are closed.