ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ତରଂଗ ପରି ଚିଂତାବଳି
ତଟକୁ ଚୁମି ଯାଏ ଚାଲି
ତା’ପରେ ଫେରିଆସେ ବୋଲି
ପାଣି ସହିତ ଥାଏ ବାଲି
ପାଣି ଓ ବାଲିର ଏ ପ୍ରୀତି
ମଝିରେ ନାହିଁ ଲାଜ, ଭୀତି
ସ୍ବାଗତ, ବିଦାୟ ସର୍ବଦା
ଏ ପ୍ରେମ ପାଇଁ ନୁହେ ବାଧା
ଶିଳାର ବିଚୂର୍ଣିତ ରୂପ
ହେଲେ ହେଁ ସବୁ ବାଲି ସ୍ତୂପ
ପୁନଶ୍ଚ ହେବା ପାଇଁ ଶିଳା
କେବେ କି ହୁଅଂତି ବାଉଳା ?
ଯେ ଯାହା ରୂପ, ଗୁଣ ଧରି
ସଂସାରେ ସ୍ବସ୍ଥାନ ଆବୋରି
ରଖଂତି ଆପଣା ତାତ୍ପର୍ଯ
ତାହା ହିଁ ହୁଏ ମୁଖ୍ୟ କାର୍ଯ
ଅଥଚ ସୁଜ୍ଞାନୀ ମଣିଷ
କରି ନିଜ ବୈଶିଷ୍ଟ୍ୟ ଶେଷ
ହୁଏ ଅନ୍ୟର ଅନୁଗାମୀ
ଅଯଥା ଯୋଦ୍ଧା ଓ ସଂଗ୍ରାମୀ
ନିଜକୁ ଅନ୍ୟର ସହିତ
ତୁଳନା କରିବାରେ ବ୍ୟସ୍ତ
ରହିଲେ ପ୍ରାୟ ପ୍ରତି କ୍ଷଣ
କେବେ ବି ହୁଏନି ନିପୁଣ
ପ୍ରକୃତି-ଜାତ ଗୁଣ, ଦୋଷ
ସ୍ବୀକାର କରିବା ସାହସ
ଯୋଗୁଁ ମଣିଷ ବାରଂବାର
କରେ ବିଶ୍ବର ଉପକାର
ନିଜର ବ୍ୟକ୍ତିତ୍ବ ସଂଭାଳି
ଯିଏ ବି ପାରେ ଏଠି ଚଳି
ତାହାକୁ କଲେ ଉପହାସ
ଅବଶ୍ୟ ଘଟେ ସତ୍ତାନାଶ
Comments are closed.