ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ
କଥା ବଳରେ ଚଳେ ଭାଷା
କାମ ଫଳରେ ବଢ଼େ ଆଶା
କଥା ଓ କାମର ପ୍ରଭେଦ
ବୁଝିବା ଅଟେ ନିରାପଦ
କେବଳ ମିଠା କଥା କହି
କାମ ଯେ କେବେ କରେନାହିଁ
ତାହାର ଜୀବନ ଦୁଃସହ
ପ୍ରାୟତଃ ହୁଏ ଅହରହଃ
କୌଣସି କଥାଖୋର ଲୋକ
ସାରିପାରେନି କାମ ତକ
କାମ କରିଲେ ଯାଏ ଥକି
ସେ କେବେ ସଫଳ ହୁଏ କି ?
କଥା କହିଲେ ମିଳେ ତାଳି
କାମ କରିଲେ ପାରୁଁ ଚଳି
କଥାରୁ ମିଳେନାହିଁ ଅନ୍ନ
କାମ ଆଡ଼କୁ ନେଉଁ ମନ
ଯାହାକୁ ଯେଉଁ କାମ ଜଣା
ସେମିତି ତାହାର ପାଉଣା
ହାତକୁ ଆସେ ନିୟମିତ
ଜୀବନ ହୁଏ ବ୍ୟବସ୍ଥିତ
‘କଥା କହିଲେ ବଢ଼େ ଖ୍ୟାତି’
ଏପରି ଚିଂତାକାରୀ ବ୍ୟକ୍ତି
କରଂତି ସାମୂହିକ କ୍ଷତି
ଏତିକି ବୁଝି ନ ପାରଂତି
ସଭାରେ ହୋଇ ନିତି ଉଭା
କଥା କହଂତି ମନଲୋଭା
ଏତିକି ପାଇ ମୂଢ଼ ବ୍ୟକ୍ତି
ଅଯଥା ସମୟ ସାରଂତି
ଏବେ ତ ଯେ କୌଣସି ଲୋକ
ଫୋନ୍ରେ ଦେଖି ନିଜ ମୁଖ
ପାଉଛି ଅନୁପମ ସୁଖ
ହଜାଇ ବୁଦ୍ଧି ଓ ବିବେକ
ଅନେକ ଖବର ବେପାରୀ
ତାଂକର ଚାରିଆଡ଼ ଘେରି
ଅନାବଶ୍ୟକ ପ୍ରଶ୍ନ କରି
ବଢ଼ାଂତି ପ୍ରସିଦ୍ଧି ତାଂକରି
ଚାଲିଛି ଏବେ କଥାଯୁଗ
ଥିଲେ ହେଁ କାମର ସୁଯୋଗ
ଲୋକେ ହୁଅଂତି ମିଛେ ଧଂଦି
କଥାଡୋରରେ ହୋଇ ବାଂଧି
Comments are closed.