ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ସ୍ଵାଗତିକା ମିଶ୍ର ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ ।
କଥା ନବ ପ୍ରତିଭା ପୁରସ୍କାର ଏବଂ ଉଦୟ ରାଗ ପୁରସ୍କାରର ବିଜୟିନୀ ସ୍ଵାଗତିକା ବାଲ୍ୟକାଳରୁ ସାହିତ୍ୟ ପ୍ରତି ସମର୍ପିତ। ଓଡ଼ିଆ ସାହିତ୍ୟର ନବ ପ୍ରତିଭା ସ୍ଵାଗତିକା ମିଶ୍ରଙ୍କ ସହ ‘ସ୍ଵଳ୍ପ ଆଳାପ’
ମୁଁ କାହିଁକି ଲେଖେ ?
କେବେ କେବେ କିଛି କଥା ଓ ବ୍ୟଥା ଛାତି ରୁନ୍ଧି ପକାଏ। ଲାଗେ ଏଇ ମୁହୂର୍ତ୍ତରେ ସେସବୁ ମୋ ଛାତି ଭିତରୁ ବାହାରି ଆସିବା ଦରକାର, ମୋ ନିଜକୁ ଅନାବରଣ କରିବାର ମୁହୂର୍ତ୍ତଟିଏ ଇଏ ହୁଏତ। କିନ୍ତୁ କୋଉଠି କରିବି! କିଏ ସେମିତି ବିଶ୍ୱସ୍ତ ମୋର! ସୁତରାଂ ଗଳ୍ପଟିଏ କିମ୍ବା କବିତାଟିଏ ଜନ୍ମ ନିଏ।
ସାହିତ୍ୟ ସର୍ଜନା ପାଇଁ କାହିଁକି ଆଗ୍ରହୀ ହେଲେ?
ମୁଁ ସ୍ୱାର୍ଥପର। ଲେଖାଟିଏ ସରିବା ପରେ ମୁଁ ଅନୁଭବ କରୁଥିବା ହାଲ୍କାପଣ ହିଁ ମତେ ବାରମ୍ବାର ଅନୁପ୍ରେରିତ କରିଛି ଲେଖିବାକୁ।ତେବେ ସେ ହାଲ୍କାପଣକୁ ତ୍ୱରିତ କରିଥିବା ବିଚଳିତତା ଯାହା ଏକ ବ୍ୟକ୍ତିଗତ ଅବା ସାମାଜିକ ସମସ୍ୟାରେ ହିଁ ନିହିତ ଥାଏ ତାହା ନିଶ୍ଚିତ ଭାବରେ ପ୍ରଥମ ଶ୍ରେୟ ନେବେ ମୋ ଲେଖାର, ମୋ ସର୍ଜନାର।
ପ୍ରଥମ ପ୍ରକାଶିତ ଲେଖାଟି କ’ଣ ଥିଲା ଓ ତାହା କିପରି ଆପଣଙ୍କୁ ପ୍ରେରିତ କରିଥିଲା ?
ପ୍ରଥମ ପ୍ରକାଶିତ ଲେଖା ଥିଲା ସମାଜ ସାପ୍ତାହିକରେ ପ୍ରକାଶ ପାଇଥିବା ମୋର ଏକ କବିତା ‘ପୂର୍ଣ୍ଣଚ୍ଛେଦ’ ଯାହାର ପାଠକୀୟ ମତାମତ ମତେ ଏକ ସ୍ୱୀକୃତି ପ୍ରଦାନ କରିବା ସହ ମୋ ଆତ୍ମବିଶ୍ବାସ ବୃଦ୍ଧି କରିଥିଲା ଲେଖା ଜାରି ରଖିବା ପାଇଁ।
ଗଳ୍ପ ବା କବିତା ମାଧ୍ୟମରେ ଆପଣଙ୍କର କେଉଁ ବାର୍ତ୍ତା ରହିଥାଏ ?
ସୃଜନ-ମନସ୍କ ବ୍ୟକ୍ତି ଏକ ସମୟରେ ଅନେକ ଜୀବନକୁ ଖୋଜିବାରେ, ବଞ୍ଚିବାରେ, ଭୋଗିବାରେ ସଫଳ ହେଇଥାଏ। ଯାହା ବଞ୍ଚିହୁଏ ନାହିଁ, ଭୋଗି ହୁଏ ନାହିଁ ତାହା ଲେଖିହୁଏ ନାହିଁ। ଏହି ସୂତ୍ରରେ ମୋର ପ୍ରାୟ ଲେଖା ବାସ୍ତବଧର୍ମୀ ତଥା ସମାଜରେ ଦେଖାଯାଉଥିବା ଅବା ଦେଖାଯିବାକୁ ଥିବା ଆଶ୍ୱାସନା ବା ଅନୁଶୋଚନାରୁ ହିଁ ସୃଷ୍ଟି। ଏଇ ଦାୟରେ ସମସ୍ୟାଟିଏକୁ ଭୋଗିବା ଅବା ତା’ ଭିତରୁ ସମାଧାନ ସୂତ୍ରଟିଏ ଖୋଜିବା, ଖୋଜେଇବା, ଅନୁଶୋଚନାରୁ ଆଶ୍ୱାସନାର ଖିଅଟିଏ ଦେଖିବା ଅବା ଦେଖେଇବା କିମ୍ବା ଆହା ପଦେ ଶୁଣେଇ ପାରିବାକୁ ନେଇ ମୁଁ ସର୍ବଦା ଆଶାବାଦୀ।
ତାଙ୍କ ରଚନାରୁ କବିତା : ଆଖି ନଥିବା ପ୍ରେମିକା
ଯଦି ପାଦମାନେ ଆଙ୍କି ପାରି ନଥାନ୍ତେ ଚିହ୍ନ
ତେବେ କଣ ଛେଳି ଜାଣି ପାରିଥାନ୍ତା
ନଈରେ କୁମ୍ଭୀରର ଭୟ!
ଗୋଟେ ହୁତୁ ହୁତୁ ଖରାବେଳେ
ଗାଈଆଳ କଣ ଠାବ କରି ପାରିଥାନ୍ତା
ଗୋଟେ କଅଁଳା ବାଛୁରୀର
ଆସନ୍ନ ଅପମୃତ୍ୟୁକୁ ଅପେକ୍ଷି ଥିବା ଶୈଶବ!
ମାଛମାନେ କ’ଣ ଠଉରେଇ ପାରିଥାନ୍ତେ
ନିଜର ଭବିତବ୍ୟ!
ଗୋଟାଏ ଚିହ୍ନରେ ବି
ଗୁନ୍ଥି ହେଇଥାନ୍ତି ସହସ୍ର ଚିହ୍ନର ମେରୁଦଣ୍ଡ
ତୁମ ଡାହାଣ ହାତର ପାପୁଲିକୁ ଦେଖ ତ!
ଯାହା ଦିଶୁଛି ରାସ୍ତା ପରି
ଯୋଉଠି ଏବେ ବୈଶାଖର
ଧୁ ଧୁ ଖରାର ଚାଦର
ସେଠି କିଛି ଥାଉ ବା ନଥାଉ
ଚିହ୍ନ ଆଡକୁ ମୁହଁକରି
ଲମ୍ବିଛି କେବଳ ଚିହ୍ନଟିଏ
ଯାହାର ନାଁ ତମେ ମୁଁ ଦେଇଛେ ରାସ୍ତା!
ଆହୁରି ଆହୁରି ଲମ୍ବିଛି କବିତା
ହେଇ ପାରୁନଥିବା କିଛି ଲୁହଙ୍କ ଶୁଖିଲା ହସର ଚିହ୍ନ
ଆକାଶକୁ ଛୁଇଁବ ଛୁଇଁବ ହେଉଥିବା
କୃଷ୍ଣଚୂଡ଼ାର ଲାଲ ରଙ୍ଗର ଓଠ
ପ୍ରଥମ କରି ଝିଅଟିକୁ ବଡ଼ କରିଦେଇଥିବା
ତା’ ହଳଦିଆ ଫ୍ରକ ଉପରେ ମନ୍ଦାଏ ନାଲି ଚିହ୍ନ
ଏ ରଙ୍ଗ କେତେ ଗାଢ଼ ଜାଣ!
ତୁମ କପାଳ ର କୁଞ୍ଚନ ରେଖାରେ
ଏବେ ଓହଳି ପଡୁଛନ୍ତି ପ୍ରଶ୍ନର ଗ୍ରନ୍ଥି ସବୁ
କୁହ କେଉଁ ଚିହ୍ନରେ ସେମାନେ ଫେରିଯିବେ
ପ୍ରଶାନ୍ତିର ମୁଦ୍ରାକୁ?
ଆଙ୍କିବି ସେଠି ତୁମକୁ ତୁମ ଭିତରୁ ଟାଣି ଆଣିବାର
ମୃଦୁ ଅଥଚ ଗଭୀର ଚୁମାର ଚିତ୍ର!
ଜୀବନମାନେ ଇ ଚିହ୍ନର କୂଟ ଚିତା
ତଥାପି ତମେ କହୁଚ ଯଦି
ଆସ ଦିନକ ପାଇଁ
ଛାତିର ରାସ୍ତାରୁ
ସମୟର ବେଳଭୂମିରୁ
ସମ୍ପର୍କର ମୁହାଣରୁ
ଦପ କରି ଲିଭେଇ ଦେବା ସବୁ ଚିହ୍ନର ବତୀ।
ଭାବୁଛ ମୋ କଥା!
ପ୍ରେମ ପାଳିବା କଥା ମତେ କୁହନା
ସମୟର ବାଲିଚରରୁ
ଚିହ୍ନ ସବୁ ଲିଭେଇ ଦେବା ପରେ ବି
ମୁଁ ବର୍ତ୍ତମାନର ପାଣି ସୁଅରେ
ତୁମ ପାଦ ଆଙ୍କି ପାରୁଥିବା
ଆଖି ନଥିବା ପ୍ରେମିକା।
Comments are closed.