ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
କଥା ଅଧାରୁ ମିସେସ୍ ମାହେଶ୍ୱରୀ ହସ୍ତକ୍ଷେପ କରି କହିଲେ, “ବହୁତ ହେଇଗଲା, ଏ ସବୁ ବୀରା! ତୋ’ର ସବୁ ବଦମାସୀଠାରୁ ଇୟେ ବଳିଗଲା । ଭଉଣୀ ନାଁରେ ମିଛ କହିବା ଓ ଲଞ୍ଚ ନଷ୍ଟ କରିବା ପାଇଁ ତୋ’ର ଦଣ୍ଡ ଆଜି ତୋ’ର ଲଞ୍ଚ ବନ୍ଦ । ବଗିଚାରେ ଯାଇ ଫୁଲଗଛ ସାଇଜ କର । ମୁଁ ଯାଇ ଦେଖିବି, ତୁ କ’ଣ କରିଛୁ । ହଁ, ଜିଞ୍ଜରକୁ କ୍ଷୀର ଓ ପାଉଁରୁଟି ଦେଇଦେବୁ ।”
ରାଗ ତମତମ ହୋଇ ବୀରା ରୋଷେଇ ଘର ଭିତରକୁ ଯାଇ ପ୍ଲେଟ୍ରେ କିଛି ପାଉଁରୁଟି ଓ ଗିନାରେ କ୍ଷୀର ନେଇ ଜିଞ୍ଜର ପାଖକୁ ଗଲା । ପ୍ଲେଟ୍ ଓ ଗିନା କଚାଡ଼ିଲା ପରି ରଖି ଜିଞ୍ଜରକୁ କୋଳକୁ ଉଠାଇ ତା’ କାନ ସାଉଁଳି ଚାଲିଲା ।
ଜିଞ୍ଜର ଖାଉଥିଲା ବେଳେ, ତାକୁ ବୀରା କହିଚାଲିଥାଏ, “ଏଠି ତୋ’ଛଡ଼ା ମୋ’ କଥା କିଏ ବୁଝେ କହିଲୁ ।
ବାବା ମୋ’ କଥା ଶୁଣନ୍ତିନି, ମାମା ମତେ କେବଳ ପନିସ୍ମେଣ୍ଟ ଦେଇ ଜାଣେ ; ଆଉ ସମୀରା, ସେ ତ ମତେ ଅସୁବିଧାରେ ପକେଇ ଚାଲେ । ହେଲେ ତୁ ମତେ କେବେ ନିରାଶ କରୁନା । ତେବେ ଯା’ହେଉ ମତେ ଏମିତି
ହିଁ ଚଳିବାକୁ ପଡ଼ିବ ।”
ସବୁ କାମ ସାରି ବୀରା ତାଙ୍କ ବେଡ଼୍ରୁମ୍କୁ ଗଲାବେଳକୁ ଖଟ ଉପରେ ବସି ସମୀରା ତା’ର ହୋମୱାର୍କ କରୁଥାଏ । ବୀରାକୁ ଦେଖି ସେ ମୁହଁ ଉଠେଇ ଚାହିଁଲା, ମାତ୍ର ତାକୁ ନ ଦେଖିଲା ଭଳି ବୀରା ସିଧା ଡ୍ରେସ୍ ବଦଳେଇବାକୁ ବାଥ୍ରୁମ୍କୁ ପଶିଗଲା । ଫେରିଲାବେଳକୁ ରୁମ୍ରେ ସମୀରା ନଥିଲା । ସେ ଆର୍ମଚେୟାର୍ରେ ବସିଛି କି ନାହିଁ, ହାତରେ ଟ୍ରେ ଧରି ସମୀରା ଆସି ପହଞ୍ଚିଲା ଓ କହିଲା, “ମାମା ତୋ’ ପାଇଁ ବ୍ରେଡ଼୍ ଚିଜ୍ ଓ କଫି ପଠାଇଛନ୍ତି… ।” “ଯାହା ମୁଁ ଖାଇବାର ପ୍ରଶ୍ନ ହିଁ ଉଠୁନି…” ତା’ କଥା ଅଧାରୁ ବୀରା ଶୁଣାଇ ଦେଲା ।
କ୍ରମଶଃ