ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକ ସମ୍ପ୍ରଦାୟଙ୍କ ବିଷୟରେ ଆଲୋଚନା ଜାରି ଥିବା ବେଳେ ଏମିତି କିଛି ସେବା ବା ସେବକ ଆମେ ଦେଖିଥାଉ ଯେଉଁମାନେ ମହାପ୍ରଭୁ ଙ୍କ ଶାଢ଼ୀବନ୍ଧା ସେବକ ନୁହଁନ୍ତି। ଏହି ସେବକମାନେ ବଂଶାନୁକ୍ରମିକ ଭାବରେ ଏହି ସେବା ମଧ୍ୟ ପ୍ରଦାନ କରନ୍ତି ନାହିଁ। ଏମିତି ଏକ ନିଆରା ସେବକ ହେଲେ ଆଳତି ବଳିତା ସେବା। ଏ ସେବା ସୁଆରବଡୁ ସେବାର ଅନ୍ତର୍ଭୂକ୍ତ ଅଟେ। ଏ ସେବକମାନେ ପ୍ରତିଦିନ ଠାକୁରମାନଙ୍କ ବିଭିନ୍ନ ଆଳତି ପାଇଁ ଆବଶ୍ୟକ ସଳିତା / ବଳିତା ସମ୍ପୃକ୍ତ ସେବକମାନଙ୍କୁ ଯୋଗାଇ ଥାନ୍ତି। ବଜାରରୁ ଉତ୍ତମ ଜାତିର ତୁଳା ସଂଗ୍ରହ କରି ଅତି ନିଷ୍ଠାର ସହିତ ଆବଶ୍ୟକ ମୁତାବକ ବିଭିନ୍ନ କିସମର ସଳିତା ନିର୍ମାଣ କରିବା ଏମାନଙ୍କ ମୂଖ୍ୟ ସେବା । ପ୍ରତ୍ୟୁଷରୁ ମଙ୍ଗଳ ଆଳତିଠାରୁ ରାତ୍ରରେ ବଡ଼ସିଂହାର ପର୍ଯ୍ୟନ୍ତ ହେଉଥିବା ଆଳତି ବନ୍ଦାପନା ପାଇଁ ଆବଶ୍ୟକ ସମସ୍ତ ସଳିତା /ବଳିତା ପ୍ରସ୍ତୁତି ପାଇଁ ଏମାନେ ସିଦ୍ଧହସ୍ତ ଅଟନ୍ତି ।
ସେହିପରି ଆଉ ଏକ ସେବକ ପରମ୍ପରା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ , କିନ୍ତୁ ଏହି ସେବା ମହାପ୍ରଭୁଙ୍କର ଶାଢ଼ୀବନ୍ଧା ସେବା ନୁହେଁ । ମୁଖ୍ୟତଃ ସନ୍ଧ୍ୟା ଧୂପ ପରେ (ପୂର୍ବ ତିନି ଧୂପରେ)ଟେରା ପଡିବା ପରଠାରୁ ଫିଟିବା ଯାଏଁ କଳାହାଟ ଦ୍ୱାର ନଣ୍ଡାବର୍ତ୍ତରେ ବଇଠା ରଖି ପୁରାଣ ଓ ସଂସ୍କୃତ ଭାଗବତ ପଢିଥାନ୍ତି। ଠିକ ଏହି ଅନୁରୂପ ସେବା ରଥଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିରରେ ମଧ୍ୟ ପ୍ରଦାନ କାରାଯାଏ। କିନ୍ତୁ ଅଣସର ଘରେ ଅବା ରଥ ଉପରେ ଏହି ସେବା ପ୍ରଦାନ କରାଯାଇ ନଥାଏ। ଏହି ବ୍ରlହ୍ମଣ ସେବକମାନଙ୍କର ପତ୍ରିବଡୁ ଓ ହଡ଼ପ ନାୟକ ସେବା ମଧ୍ୟ ରହିଛି। ଆଲୋଚ୍ୟ ଦୁଇ ସେବକ ମହାପ୍ରଭୁଙ୍କ ସେବାରେ ପ୍ରତ୍ୟକ୍ଷ ଭାବରେ ସମ୍ପୃକ୍ତ ହୋଇଥିଲେ ମଧ୍ୟ ଏହା ବଂଶାନୁକ୍ରମିକ ସେଵା ନୁହେଁ। ସେବକ ନିଜ ଇଚ୍ଛାରେ ଏହି ସେବା କରିଥାନ୍ତି। ଆସନ୍ତୁ ଆମେ ସବୁଦିନ ପରି କରିବା ଆରାଧନା ଓ ଭାଗବତ ପଠନର ପାରମ୍ପରିକ ସେବା ।
ଜୀବର ଏମନ୍ତ ବେଭାର
ସ୍ଵଭାବେ ଅଜର ଅମର ।
ଏ ଅନୁଭବେ ଚନ୍ଦ୍ର ଚାହିଁ
ଭ୍ରମଇ ଗୁରୁ ଶିକ୍ଷା ପାଇ ।
ଇନ୍ଦ୍ରିୟଗଣ ଏ ଶରୀରେ
ଭ୍ରମନ୍ତି ବିଷୟ ଗୋଚରେ ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.