Latest Odisha News

ବେକାର ଯୁବକ-ଯୁବତୀଙ୍କୁ କେବେ ମିଳିବ ସ୍ଥାୟୀ ନିଯୁକ୍ତି?

ଭୁବନେଶ୍ବର : ରାଜଧାନୀରେ ଗର୍ଜିଲେ ବେକାର ଯୁବକ-ଯୁବତୀ  । ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ଥିଲା କେବେ ମିଳିବ ସ୍ଥାୟୀ ନିଯୁକ୍ତି । ଦୀର୍ଘ ଦିନ ହେବ ବେକାର ଯୁବକ-ଯୁବତୀ ମାନେ ସ୍ଥାୟୀ ନିଯୁକ୍ତି ଲାଗି ଦାବି କରିଆସୁଛନ୍ତି  । ହେଲେ ସରକାର ନିଦା ବିଷ୍ଣୁ ପାଲଟିଛନ୍ତି । ଏହାର ଉତ୍ତର କାହାରି ପାଖରେ ନାହିଁ  । ଆଜି ବି କିଛି ବେକାର ଯୁବକ ଯୁବତୀ ସ୍ଥାୟୀ ନିଯୁକ୍ତି ଦାବିରେ ବିଧାନସଭା ସମ୍ମୁଖରେ ଡିଓ୍ବାଇଓ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ବିଭିନ୍ନ ଜିଲ୍ଲାରୁ ଆସିଥିବା ବିକ୍ଷୋଭକାରୀମାନେ ରାଜମହଲ ଛକ ଠାରୁ ଏକ ସୁସଜ୍ଜିତ ଶୋଭାଯାତ୍ରାରେ ଯାଇ ଲୋୟର ପି.ଏମ୍.ଜି.ରେ ଏକାଠି ହୋଇଥିଲେ । ସଂଗଠନର ରାଜ୍ୟ ସଭାପତି ମାନସ ପାଳଙ୍କ ପରିଚାଳନାରେ ଏହି ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଥିଲା ।   ଶିକ୍ଷା, ସ୍ୱାସ୍ଥ୍ୟ, ରେଳ, ବ୍ୟାଙ୍କ ସମେତ ସମସ୍ତ ବିଭାଗରେ ଖାଲି ପଡିଥିବା ପଦବୀଗୁଡିକରେ ଠିକା କିମ୍ବା ଯୋଜନା ଭିତ୍ତିକ ନିଯୁକ୍ତି ନୁହେଁ, ସ୍ଥାୟୀ ଭିତ୍ତିରେ ନିଯୁକ୍ତି ପ୍ରଦାନ କରିବା ଲାଗି ଦାବି କରାଯାଇଛି  ।

ଏହାବ୍ୟତୀତ ନିଯୁକ୍ତି ପାଇଁ ବିଭିନ୍ନ ଏଜେନ୍ସି ମାଧ୍ୟମରେ କରାଯାଉଥିବା ପରୀକ୍ଷା ଗୁଡିକରେ ସ୍ଵଚ୍ଛତା ଅବଲମ୍ବନ ଓ ଦେୟମୁକ୍ତ କରିବା, ରାଜ୍ୟରେ ସରକାରୀ ଉଦ୍ୟୋଗରେ ସ୍ଥାୟୀ ନିଯୁକ୍ତି ଭିଭିକ ଖଣି ଓ ଶିଳ୍ପ ପ୍ରତିଷ୍ଠା କରିବା, ନିଯୁକ୍ତି ନଦେବା ପର୍ଯ୍ୟନ୍ତ ସମସ୍ତ ବେକାର ଯୁବକ-ଯୁବତୀଙ୍କୁ ବେକାରୀ ଭତ୍ତା ପ୍ରଦାନ କରିବା, ମାଦକ ଦ୍ରବ୍ୟ ଓ ଅଶ୍ଳୀଳତାର ପ୍ରଗର ପ୍ରସାର ବନ୍ଦ କରିବା, ବୃହତ ପୁଞ୍ଜିପତିଙ୍କୁ ପ୍ରାକୃତିକ ସମ୍ପଦ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଡିକୁ ଶାଗ ମାଛ ଦରରେ ବିକ୍ରି କରିବା ନିଷ୍ପତ୍ତିକୁ ବାତିଲ କରିବା ନେଇ ଦାବି କରାଯାଇଛି ।  ସର୍ବଭାରତୀୟ କମିଟିର ସଭାପତି ନିରଞ୍ଜନ ନସ୍କର, ଅଫିସ୍ ସମ୍ପାଦକ ବିଜୟାନନ୍ଦ ମଲ୍ଲିକ, ରାଜ୍ୟ ସମ୍ପାଦକ କେଦାରନାଥ ସାହୁ,କୋଷାଧ୍ୟକ୍ଷ ଚୈତନ୍ୟ ମହାରଣା ପ୍ରମୁଖ ଏଥିରେ ସାମିଲ ହୋଇ ସରକାରଙ୍କର ନିଯୁକ୍ତି ନୀତିକୁ ଦୃଢ଼ ସମାଲୋଚନା କରିଥିଲେ ।

Leave A Reply

Your email address will not be published.