Latest Odisha News

କବିତା : ଉଆଁସ

ଦେବଜ୍ଯୋତି ଅବିନାଶ

ଇଛା ହୁଏ ବେଳେ ବେଳେ ଭାରି,
ଉଆଁସୀ ରାତିର ଗହନ ଅନ୍ଧାରରେ,
ଏ ଦୁର୍ଦ୍ଦାନ୍ତ ସହରର ଦୁର୍ବିସହ ଶବ୍ଦଠାରୁ,
ନିଜକୁ ନିଜେ ମୋହର ବନ୍ଧନୀରେ
ବାନ୍ଧି ରଖିଥିବା ମଣିଷ ମାନଙ୍କର ଆର୍ତ୍ତ-ଚିତ୍କାରରୁ,
ଅନ୍ଧାର ସହ ଅନବରତ ଲଢି଼ ଚାଲିଥିବା
ଝିଲମିଲ ବିଜୁଳିବତୀ ମାନଙ୍କଠାରୁ,
ଚାଲି ଯିବା ପାଇଁ,
ଦୂରକୁ ଦୂରକୁ
ଅନେକ ଦୂରକୁ।

ବୋଧହୁଏ, ସହରର ଶେଷ ମୁଣ୍ଡରେ ଥିବା
ସେଇ ଜଙ୍ଗଲ ଭିତରକୁ,
ଛାତିରେ ଯାହାର ଦରବାର ବସେ,
ରାଜୁତି ଚାଲେ ଅନ୍ଧାରର।
ଘୂରି ବୁଲନ୍ତି ଯାହାର ଚମଡା଼ ଆଢୁଆଳରେ,
ଡାହାଣୀ, ପିତାଶୁଣୀ ଓ ନାନା ରକମର
ଅଶରୀରୀ ସତ୍ତା ଯେତେ,
ବଞ୍ଚି ରହିଛନ୍ତି ଯହିଁ ଲୋକକଥା
ଆଉ ବୁଢୀ଼ ଅସୁରୁଣୀର ହଜିଲା ଗପ ସବୁ,
ଶୀତ ରାତିରେ ନିଆଁ ଜାଳି ଯେଉଁଠି ସଭା କରନ୍ତି
ମଲା ମଣିଷମାନଙ୍କର ଲଙ୍ଗଳା ଦେହ।
ସଭ୍ୟତା ଭେଦି ପାରିନି ଏ ଯାଏଁ ଯାହାର ବକ୍ଷ,
ଧମନୀରେ ଯାହାର ଆଜି ମଧ୍ଯ ବହି ଚାଲିଛି ଆଦିମ ରକ୍ତ।

ଟାଣି ଦେଇଛି ଯେ ନିଜ ଚାରିପାଖେ
ଘନ କୁହୁଡ଼ିର ଏକ ରକ୍ଷା-ବଳୟ,
ଛୁଇଁ ପାରିବେନି ଯେମିତି ଏ ସହରର
ମାୟାବିନୀ ଆଲୁଅ ସବୁ ତାକୁ,
ପଢ଼ି ପାରିବେନି ଯେମିତି ଏ ସଭ୍ୟତାର ନରରାକ୍ଷସମାନେ
ସେ ତା’ ଅନ୍ତରରେ ଲୁଚାଇ ରଖିଥିବା ରହସ୍ଯ ସବୁ,
ଟିମଟିମ ତାରାମାନଙ୍କର ଚାଦର ତଳେ,
ଚନ୍ଦ୍ରାଲୋକର ଅନୁପସ୍ଥିତିରେ,
ମିଳେଇ ଯିବେ ଯେମିତି,
ଅସହାୟ ମଣିଷ ମାନଙ୍କର ବୁକୁଫଟା ଚିତ୍କାର ସବୁ,
ତାହାରି ଜଠରୁ ଜନ୍ମି,
ତାହାରି ଛାତି ଭିତରେ।
ସ୍ବାଧୀନତା ବି ବନ୍ଦୀ ଯାହାର ପରିସୀମା ଭିତରେ,
ମୁକ୍ତି ଏକ ମରୀଚିକା,
ଏକ ଦିବା-ସ୍ବପ୍ନ,
ପଦ୍ମ ପରି ଘୁଞ୍ଚି ଘୁଞ୍ଚି ଯାଏ ଯାହା ହାତ ବଢ଼ାଇଲେ,
ଉପହାସ କରୁଥାଏ ଅନ୍ଧାରୀ ଆକାଶରେ ରହି,
ଉଆଁସୀ ରାତିର ଜହ୍ନ ପରି।

 

ସ୍ନାତକୋତ୍ତର ଇଂରାଜୀ ସାହିତ୍ୟ ବିଭାଗ
ରେଭେନ୍ସା ବିଶ୍ଵବିଦ୍ୟାଳୟ

Leave A Reply

Your email address will not be published.