Latest Odisha News

BREAKING NEWS

କବିତା : ମୁଁ କାଲି ଥିବି କି ନଥିବି

ରଜୀତ ଦାସ

କାଲି ହୁଏତ ମୁଁ ନ ଥିବି
ତମେ ଥିବ, କିମ୍ବା
ତମ ପରେ ଥିବ ଆଉ କିଏ
ତା ସହ ଥିବ ଏଇ ସମୁଦ୍ର ଗର୍ଜନ
ପକ୍ଷୀଙ୍କର ମଧୁର କୁଜନ।

ବହୁ ଥିବ ନଈ
ଗାଁ ମୁଣ୍ଡ ପୋଖରୀରେ ଫୁଟୁଥିବ କଇଁ
ଗଛ ସାରା ଫୁଟୁଥିବ ଫୁଲ
ପବନ ରେ ଖେଳୁଥିବ
ତଳମୁଣ୍ଡ ଗାଁ ଧାନ ବିଲ।

ମୁଁ ଯେବେ ପିଲା ଥିଲି
ଭାଙ୍ଗିଗଲା ମାଟି ଖଞ୍ଜା ମୋର
ତା ସହ ମାଟିରେ ମିଶିଲା,
ବୁଢ଼ୀ ମା ଆଙ୍କିଥିବା କଉଡି ର ଜନ୍ମ ଷଠିଘର

ମୋ ପରେ ଯାହା ସବୁ ଘଟିଯିବ ଏଇ ସଂସାର ରେ
ଦେଖିବାକୁ ନ ଥିବି ମୁଁ ଅବା ଲଭି ବାରେ
ସତ୍ତା ବି ହରେଇଥିବି ଗାଁ ମୁଣ୍ଡ ମଶାଣି ର
ପାଉଁଶ ଭିତରେ।

କାଲି ମୁଁ ନ ଥିବି ହୁଏତ
କିନ୍ତୁ ବର୍ଷ ସାରା ଆସୁଥିବ
ଗ୍ରୀଷ୍ମ ବର୍ଷା ଶରତ ହେମନ୍ତ
ତା ସହ ହାଡ଼ ଭଙ୍ଗା ଶୀତ ଓ ବସନ୍ତ।

ମୁଁ ସିନା ଆସିବିନି,
କିନ୍ତୁ ସବୁଦିନେ ଆସୁଥିବ କଅଁଳି ସକାଳ
ଘଣ୍ଟ ଘଣ୍ଟା ଶୁଭୁଥିବ ମନ୍ଦିର ବେଢାରୁ
ମୋ ଗାଁ ରେ ବୁଡ଼ିଗଲେ ବେଳ
ଦିନ ରାତି ହେଉଥିବ
ହେଉଥିବ ସଞ୍ଜ ଓ ସକାଳ।

ଶୁଣିବିନି ଆଉ କେବେ
ବାଛୁରୀର ହମ୍ମl ହମ୍ମl ରଡି
ଖେଳିବିନି ବୋହୁଚୋରି
ନଈକାଲି ଗୁଲି ଓ ବାଗୁଡି
ଦେଖିବାକୁ ନ ଥିବି ମୁଁ ଗାଁ ମୁଣ୍ଡ ଦୂର ତାଳ ବଣ
ଭୁଲିଯିବି ଜେଜେଙ୍କର ସ୍ମୃତି ଭିଜା ଦି ହାତି ପାଞ୍ଚଣ।

ଥରେ ଚାଲି ଗଲା ପରେ
ଆଉ କେବେ ଆସିବିନି ଫେରି
ବାର ଦିନ ଗଲା ପରେ ଧୀରେ ଧୀରେ
ତମେ ସବୁ ଯିବ ବି ପାଶୋରି

ମୁଁ କାଲି ଥିବି କି ନ ଥିବି
ତମେ ବୋଧେ ଥିବ
କିମ୍ବା ତା ପରେ ଆଉ କିଏ ?

ସିଙ୍ଗିଟାଳି
ପାରାଦ୍ୱୀପ

Leave A Reply

Your email address will not be published.