Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ବେଢା ବୁଲା ଅବସରରେ ବଟ ମଙ୍ଗଳାଙ୍କ ଠିକ ସମ୍ମୁଖରେ ବିରାଜମାନ କରିଛନ୍ତି ପଞ୍ଚ ମହାଦେବ। ଯଥା ଯମେଶ୍ୱର, ନୀଳକଣ୍ଠ, ଲୋକନାଥ(ଲୋକେଶ୍ୱର )
ମାର୍କଣ୍ଡେୟ, ଓ କପାଳ ମୋଚନ। ଶ୍ରୀମନ୍ଦିର ସତ୍ତ୍ୱଲିପି ଅନୁସାରେ ଭିତର ବେଢାର ପ୍ଲଟ ନମ୍ବର ୯୦ ରେ ଏହି ପଞ୍ଚ ମହାଦେବଙ୍କ କ୍ଷୁଦ୍ର ମନ୍ଦିରମାନ ଦୃଷ୍ଟି ଗୋଚର ହୁଏ। ଏହି ପଞ୍ଚ ମହାଦେବଙ୍କ ଭିତରେ ମାର୍କଣ୍ଡେଶ୍ୱର ମହାଦେବଙ୍କ ମନ୍ଦିରଟି ସାମାନ୍ୟ ବଡ଼ ଅଟେ। କିନ୍ତୁ ମନ୍ଦିର ବେଢା ପତନ ଠାରୁ ପ୍ରାୟ ୭/୮ ଫୁଟ ତଳେ ଏହି ମନ୍ଦିର ଗର୍ଭଗୃହରେ ମାର୍କଣ୍ଡେଶ୍ୱର ଶିବଙ୍କ ଶକ୍ତି ସହ ଶିବଲିଙ୍ଗ ସ୍ଥାପିତ ହୋଇଛନ୍ତି। ଏଠାରେ ଶକ୍ତି ପଶ୍ଚିମାଭିମୁଖୀ ହୋଇ ପ୍ରତିଷ୍ଠିତ ହୋଇଛନ୍ତି। କିନ୍ତୁ ମନ୍ଦିର ସମ୍ମୁଖରେ ବୃଷଭ ପ୍ରତିଷ୍ଠିତ ଅଛନ୍ତି । ଇତିହାସ କହେ କେଶରୀ ବଂଶର ରାଜା ଉଦ୍ୟୋତ କେଶରୀ ସମୟରେ ନିର୍ମିତ୍ତ ହୋଇଥିଲା। ଶ୍ରୀକ୍ଷେତ୍ରରେ ହରି ହର ପୂଜାର ବିଶେଷତ୍ୱ ଏହି ମନ୍ଦିରରେ ସ୍ଥାପିତ ମାଧବ (ନାରାୟଣ )ଙ୍କ ବିଗ୍ରହଙ୍କୁ ଦର୍ଶନ କଲେ ଜଣାପଡେ। ଜନଶ୍ରୁତି କହେ ଏହି ମହାଦେବ ମଣିଷର ଆୟୁଷ ବୃଦ୍ଧି କରିଥାନ୍ତି। ଉଦାହରଣ ସ୍ୱରୂପ ସ୍ୱୟଂ ମାର୍କଣ୍ଡ ଋଷି ବାଳକ ସମୟରେ ନିଜର ଆୟୁ ବୃଦ୍ଧି ପାଇଁ ଏହି ଶିବଲିଙ୍ଗଙ୍କୁ କୁଣ୍ଡେଇ ଧରିବା ଦ୍ୱାରା ପ୍ରଭୂ ମାର୍କଣ୍ଡେଶ୍ୱର ତାଙ୍କର ୧୨ ବର୍ଷର ସ୍ୱଳ୍ପ ଆୟୁ କୁ ୧୨୦ ବର୍ଷ କରି ଦେଇଥିଲେ। ଜନଶ୍ରୁତି ଯାହା ଥାଉନା କାହିଁକି କଳ୍ପ ବଟ ସମୀପରେ ଏହି ମାର୍କଣ୍ଡେଶ୍ୱରଙ୍କ ମହିମା ଅପାର। ସେ ଅକର୍ମ କର୍ମ ଦାୟକ ଏବଂ ସଦା ମଙ୍ଗଳମୟ। ଆସନ୍ତୁ ତେବେ ଏହି ପାପତାପ ନାଶକ ପ୍ରଭୁ ମାର୍କଣ୍ଡେଶ୍ୱରଙ୍କୁ କରିବା ଆରାଧନା । “ମାର୍କଣ୍ଡେୟ!, ନମସ୍ତୁଭ୍ୟମ ଘୋର ପାପହାରକ, ପାପଂ ମେ ହର ଭୋ ଶମ୍ଭୋ ନାରାୟଣପ୍ରିୟଂ ଭଜେ ।” ଅର୍ଥାତ ହେ ମାର୍କଣ୍ଡେଶ୍ୱର ! ତୁମେ ଅଘୋର ପାପ ହାରକ, ତୁମେ ନାରାୟଣ ପ୍ରିୟ, ତୁମ୍ଭେ ଶମ୍ଭୁ, ମୋର ସମସ୍ତ ପାପ ରାଶି ହରଣ କର।

ଜୟ ଜଗନ୍ନାଥ (ଦ.ତ୍ରି.ଉବାଚ )

Leave A Reply

Your email address will not be published.