ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ; ୨ ଯବାନ ସହିଦ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ଶ୍ରୀନଗର ଅଞ୍ଚଳରେ ଥିବା ନୌଗାମରେ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀ ମାନେ ଅଚାନକ ଆକ୍ରମଣ କରିଛନ୍ତି । ଯେଉଁଥିରେ ଦୁଇ ଯବାନ ସହିଦ ହେବା ସହ ଜଣେ ଗୁରୁତର ଆହତ ହୋଇଛନ୍ତି ।

ଏନେଇ କାଶ୍ମୀର ଜୋନ୍ ପୋଲିସ ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି । ଟ୍ୱିଟ୍ ଅନୁଯାୟୀ ନୌଗାମ ବାଇପାସ୍ ଅଞ୍ଚଳରେ ଆତଙ୍କବାଦୀ ମାନେ ପୋଲିସ୍ ପାର୍ଟି ଉପରକୁ ଅଚାନକ ଗୁଳିମାଡ କରିଥିଲେ।

ସେମାନଙ୍କ ମଧ୍ୟରୁ ୩ ଜଣ ଆହତ ହୋଇଥିବା ବେଳେ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ସେଠାରେ ଦୁଇ ପୋଲିସ କର୍ମୀ ମୃତ୍ୟୁ ବରଣ କରିଥିଲେ ।

ଅପରପକ୍ଷେ ଘଟଣା ପରେ ସମ୍ପୃକ୍ତ ଅଞ୍ଚଳକୁ ଘେରାଉ କରି ଆତଙ୍କବାଦୀଙ୍କୁ ଧରିବା ପାଇଁ ପୋଲିସ ଓ ସେନା ପକ୍ଷରୁ ତଲାସି ଅଭିଯାନ ଜାରି ରହିଥିବା ସୁତ୍ରରୁ ପ୍ରକାଶ ।