Latest Odisha News

BREAKING NEWS

ବିବାହ ବନ୍ଧନରେ ବାନ୍ଧି ହେଲେ ୨ ଯୁବତୀ; ପରିବାର ଲୋକଙ୍କ ବିରୋଧ

ଯାଜପୁର: ମଥାରେ ସିନ୍ଦୂର, ଗଳାରେ ମଙ୍ଗଳସୂତ୍ର ଆଉ ହାତରେ ସଂଖା। ସବୁ ନବବଧୂ ପରି ଏହି ମହିଳା ପିନ୍ଧିଥିବା ଶଙ୍ଖା ସିନ୍ଦୂର କୌଣସି ଯୁବକ ପାଇଁ ନୁହେଁ ବରଂ ଏହା ହେଉଛି ଜଣେ ଯୁବତୀଙ୍କ ପାଇଁ। କଥାଟି ଟିକେ ଅଡୁଆ ଲାଗିପାରେ, ହେଲେ ଏହା ସତ୍ୟ। ପରସ୍ପରକୁ ଜୀବନସାଥି ରୂପେ ଆପଣେଇ ନେଇଛନ୍ତି ୨ ଜଣ ଯୁବତୀ। ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦାନଗଦୀ ଅଞ୍ଚଳରେ। ସ୍ଥାନୀୟ ରାବଣା ଗ୍ରାମର ଶ୍ରୀଧର ପତିଙ୍କ ଝିଅ ଶୁଭଲକ୍ଷ୍ମୀଙ୍କର କୋରାଇ ଥାନା ଚାନ୍ଦମା ଗ୍ରାମର ସୁରେନ୍ଦ୍ର ମିଶ୍ରଙ୍କ ଝିଅ ଲକ୍ଷ୍ମୀପ୍ରିୟା ଙ୍କ ସହ ଗତ ୨ ବର୍ଷ ତଳେ ପ୍ରେମ ସମ୍ପର୍କ ଗଢି ଉଠିଥିଲା।

ପରେ ଚଳିତ ଜାନୁଆରୀ ୨ ତାରିଖରେ ଉଭୟ ବିବାହ କରିଥିଲେ। ହେଲେ ଏହି ବିବାହକୁ ଉଭୟଙ୍କ ପରିବାର ଗ୍ରହଣ ନକରିବାରୁ ଏବେ ଦୁହେଁ ଅନ୍ୟତ୍ର ରହୁଛନ୍ତି । ଏଥିସହିତ ଏହାକୁ ବିରୋଧ କରି ପରିବାର ଲୋକେ ଧମକଚମକ ଦେଉଥିବାରୁ ପୋଲିସର ଆଶ୍ରୟ ନେଇଛନ୍ତି ଶୁଭଲକ୍ଷ୍ମୀ ଓ ଲକ୍ଷ୍ମୀପ୍ରିୟା । ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ପୋଲିସକୁ ସୁରକ୍ଷା ମାଗିଛନ୍ତି ଏହି ଦମ୍ପତ୍ତି। ତେବେ ସାରା ଜୀବନ ଉଭୟେ ଉଭୟଙ୍କ ହାତ ଧରି ରହିବାକୁ ନିଷ୍ପତ୍ତି ନେଇଥିବା ବେଳେ କୌଣସି ବି ଶକ୍ତି ଦୁହିଁଙ୍କୁ ଅଲଗା କହିପାରିବନି ବୋଲି କହିଛନ୍ତି ଲକ୍ଷ୍ମୀପ୍ରିୟା।

ଶୁଭଲକ୍ଷ୍ମୀ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରନ୍ତି। ଶୁଭଲକ୍ଷ୍ମୀଙ୍କ ବଡଭାଇ ଲକ୍ଷ୍ମୀପ୍ରିୟାଙ୍କ ଭଉଣୀଙ୍କୁ ବିବାହ କରିଥିଲେ। ତେବେ ଶୁଭଲକ୍ଷ୍ମୀ ହେଉଛନ୍ତି ଲକ୍ଷ୍ମୀପ୍ରିୟା ଙ୍କ ଭଉଣୀଙ୍କ ନଣନ୍ଦ। ଏହି କାରଣରୁ ଉଭୟଙ୍କ ଦେଖା ସାକ୍ଷାତ ହେବା ପରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଯାହା ଏବେ ବିବାହର ରୂପ ନେଇଛି। ହେଲେ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକେ। ଝିଅ ନିଖୋଜ ଥିବା ନେଇ କୋରାଇ ଥାନାରେ ଅଭିଯୋଗ କରିଥିଲେ ଲକ୍ଷ୍ମୀପ୍ରିୟାଙ୍କ ବାପା। ଅନ୍ୟପଟେ ଦୁହିଁଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଦାନଗଦୀ ଫାଣ୍ଡିର ଦ୍ବାରସ୍ଥ ହୋଇଥିଲେ ଏହି ଦମ୍ପତ୍ତି। ତେବେ ସମଲିଙ୍ଗୀ ସମ୍ପର୍କକୁ ସମ୍ବିଧାନ ସ୍ବୀକୃତି ପ୍ରଦାନ କରିଥିବା ବେଳେ ପରିବାର ଲୋକେ କାହିଁକି ଏହାକୁ ବିରୋଧ କରୁଛନ୍ତି ବୋଲି ଉଭୟେ ପ୍ରଶ୍ନ କରିଛନ୍ତି। ସେପଟେ ଏନେଇ ଉଭୟ ପରିବାରର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Leave A Reply

Your email address will not be published.