ଭୁବନେଶ୍ବର: ସରକାରଙ୍କ ଏସମାକୁ ଶୁଣୁନି ଓମସା । ନିଜ ଜିଦରେ ଅଟଳ ରହି ଆଜି ବି ଦୁଇ ଘଣ୍ଟା ଧରି ଓପିଡି ସେବା ବନ୍ଦ କରିଛି । ଚଳିତ ମାସ ୫ ତାରିଖରୁ ଏପରି ସ୍ଥିତି ଜାରି ରହିଛି । ସରକାର-ଡାକ୍ତରଙ୍କ କଳି ଭିତରେ ହଇରାଣ ହେଇ ପଡୁଛନ୍ତି ରୋଗୀମାନେ । ଚିକିତ୍ସା ପାଇଁ ରୋଗୀଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି ।
ଡାକ୍ତରଙ୍କ ଉପରେ ଚାପ ସୃଷ୍ଟି କରିବା ଲାଗି ରାଜ୍ୟ ସରକାର ଏସ୍ମା ଲାଗୁ କରିଛନ୍ତି । ହେଲେ ଡାକ୍ତରମାନେ ତାଙ୍କ ଜିଦ୍ରେ ଅଟଳ ରହିଛନ୍ତି ।
୧୦ ଦଫା ଦାବି ନେଇ ଗତ ଡିସେମ୍ବର ୨୬ ତାରିଖରୁ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପ୍ରଥମେ ୧ ଘଣ୍ଟା ଓପିଡି ବନ୍ଦ ହେଉଥିବା ବେଳେ ଏବେ ତାହା ୨ ଘଣ୍ଟାରେ ପହଞ୍ଚିଲାଣି । ସରକାରୀ ଡାକ୍ତରଖାନାରେ ଅଚଳାବସ୍ଥା ଲାଗି ରହିଥିବା ବେଳେ ଆସନ୍ତା ୧୫ ତାରିଖ ସୁଦ୍ଧା ଯଦି କୌଣସି ପଦକ୍ଷେପ ନିଆ ନ ଯାଏ, ତା’ ହେଲେ ଅପରାହ୍ନରେ ସରକାରୀ ଡାକ୍ତରଖାନାରେ ଆଉ ଓପିଡି ଖୋଲିବ ନାହିଁ ବୋଲି ଓଡ଼ିଶା ମେଡିକାଲ ସେବା ସଂଘ, ଓମସା ପକ୍ଷରୁ ଚେତାବନୀ ଦିଆଯାଇଛି ।