Latest Odisha News

BREAKING NEWS

ମହାରଥୀଙ୍କ ଇସ୍ତଫା ପରେ ଅନ୍ୟ ଦୁଇ ବରିଷ୍ଠ ମନ୍ତ୍ରୀଙ୍କୁ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କୃଷି ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ରବିବାର ଦିନ ତାଙ୍କ ପଦରୁ ଇସ୍ତଫା ପ୍ରଦାନ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରୀମଣ୍ଡଳର ଦୁଇଜଣ ବରିଷ୍ଠ ମନ୍ତ୍ରୀଙ୍କୁ ତାଙ୍କର ବିଭାଗର ଦାୟିତ୍ୱ ବଣ୍ଟନ କରିଛନ୍ତି ।

ରାଜ୍ୟ ଅର୍ଥ ମନ୍ତ୍ରୀ ଶଶୀ ଭୂଷଣ ବେହେରା କୃଷି ଓ ପଶୁ ସମ୍ପଦ ବିକାଶ ବିଭାଗର (ଏଆରଡ଼ି)ଅତିରିକ୍ତ ଦାୟିତ୍ୱ ନେଇଥିବା ବେଳେ, ଅନୁସୂଚିତ ଜାତି ଓ ଅନୁସୁଚିତ ଉପଜାତି ବିକାଶ ବିଭାଗ ମନ୍ତ୍ରୀ ରମେଶ ମାଝୀ ପଞ୍ଚାୟତିରାଜ ବିଭାଗ ଏବଂ ପାନୀୟ ଜଳ ବିଭାଗର ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ମହାରଥୀ ରବିବାର ଅପରାହ୍ନରେ ନିଜ ମନ୍ତ୍ରୀପଦରୁ ଇସ୍ତଫା ପ୍ରଦାନ କରିଥିଲେ ।

ପିପିଲି ଗଣଦୁଷ୍କର୍ମ ମାମଲାରେ ୨ଜଣ ଅଭିଯୁକ୍ତ ଦୋଷମୁକ୍ତ ହେବା ପରେ ପରେ ଏନେଇ ମହାରଥୀଙ୍କ ବିବାଦୀୟ ବୟାନକୁ ନେଇ ଗତ କିଛିଦିନ ହେବ ବିରୋଧୀ ଦଳମାନେ ଲଗାତର ଭାବେ ତାଙ୍କର ଇସ୍ତଫା ଦାବି କରିଆସୁଥିଲେ । ଏପରିକି ଗତ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ବାରିପଦା ଗସ୍ତ ସମୟରେ ପିପିଲି ଗଣଦୁଷ୍କର୍ମ ମାମଲାରେ ରାଜ୍ୟ ସରକାର ଏହି ୧୯ ବର୍ଷିୟା ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ନକରିପାରିବା ନେଇ ମଧ୍ୟ ସମାଲୋଚନା କରିଥିଲେ ।

ପ୍ରଦୀପ ମହାରଥୀ ରବିବାର ଦିନ ତାଙ୍କ ପଦରୁ ଇସ୍ତଫା ପ୍ରଦାନ କରିବା ପରେ କହିଥିଲେ, ଦଳର ସେ ଜଣେ ଶୃଙ୍ଖଳିତ ସୈନିକ ଏବଂ ଦଳୀୟ ଭାବମୂର୍ତ୍ତି ଅକ୍ଷୁର୍ଣ୍ଣ ରହିବା ତାଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ । “ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଏବଂ ଦଳ ଲାଗି ତାଙ୍କର ଯଥେଷ୍ଟ ସମ୍ମାନ ରହିଛି,” ।

ଏହି ପ୍ରସଙ୍ଗରେ ମହାରଥୀ ଦ୍ୱିତୀୟ ଥର ଲାଗି ନିଜ ମନ୍ତ୍ରୀ ପଦ ହରାଇଛନ୍ତି । ପ୍ରଦୀପ ମହାରଥୀ ମେ ମାସ ୨୦୧୧ ମସିହାରେ ପ୍ରଥମଥର ପାଇଁ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ତେବେ ୨୦୧୨ ମସିହା ଜାନୁଆରୀ ୧୯ ତାରିଖରେ ତାଙ୍କୁ ମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା । ସେସମୟରେ ପଞ୍ଚାୟତ ନିର୍ବାଚନ ଅବ୍ୟବହିତ ପୂର୍ବରୁ ଏହି ମାମଲା ପ୍ରଭାବିତ ହେବା ଆଶଙ୍କାରେ ଏବଂ ଦଳୀୟ ଭାବମୂର୍ତ୍ତୀ ଅକ୍ଷୁର୍ଣ୍ଣ ହେବା ଲାଗି ସେ ଇସ୍ତଫା ପ୍ରଦାନ କରିଥିଲେ ।

ଗତ ବର୍ଷ ଡିସେମ୍ବର ୨୫ ତାରିଖରେ ମହାରଥୀ ତାଙ୍କର ବ୍ୟଙ୍ଗାତ୍ମକ ଟିପ୍ପଣୀ ଲାଗି ନିଜ ପାଇଁ ବିପଦକୁ ଟାଣି ଆଣିଥିଲେ । ଏହି ଘଟଣାରେ ଅତିରିକ୍ତ ଜିଲ୍ଲା ଜଜ୍ ଅଦାଲତ (ଏଡିଜେ) ଅଭିଯୁକ୍ତଙ୍କୁ ଖଲାସ କରିବା ପରେ ମହାରଥୀ କହିଥିଲେ “ଶେଷରେ ପିଡିତାଙ୍କୁ ନ୍ୟାୟ ମିଳିଲା” ।

ମହାରଥୀଙ୍କ ଏହି ବିବାଦୀୟ ମନ୍ତବ୍ୟ ଲାଗି ବିରୋଧି କଂଗ୍ରେସ ଓ ବିଜେପି ତାଙ୍କ ଠାରୁ ନିଃସର୍ତ କ୍ଷମା ପ୍ରାର୍ଥନା ପାଇଁ ଦାବି କରିଥିଲେ ।
ପରବର୍ତ୍ତୀ ସମୟରେ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ସରକାରୀ ବାସଭବନ ସମ୍ମୁଖରେ ଓଡିଶା ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ଘଟଣାରେ ପୋଲିସ ସହ ମହିଳା ବିକ୍ଷୋଭକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ଭଳି ପରିସ୍ଥିତି ଉପୁଜିଥିଲା । ଏପରିକି ଉତ୍ୟକ୍ତ ବିକ୍ଷୋଭକାରୀମାନେ ତାଙ୍କର ବାସଭବନ ଉପରକୁ ଟମାଟୋ ଓ ଅଣ୍ଡା ଫୋପାଡି ଥିଲେ।

ଏହି ଘଟଣାକୁ କେନ୍ଦ୍ର କରି ବିରୋଧି କଂଗ୍ରେସଦଳର ମହିଳା କର୍ମୀ ଓ ବିରୋଧି ବିଜେପି ମଧ୍ୟ ନବୀନ ନିବାସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରୁ ହଟାଇବାକୁ ଦାବି କରିଥିଲେ ।

 

Leave A Reply

Your email address will not be published.