Latest Odisha News

BREAKING NEWS

ବହୁଚର୍ଚ୍ଚିତ ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲାରେ ପୁଣି ୨ ଗିରଫ

ଭୁବନେଶ୍ବର: ପୋଲିସ ଏସଆଇ ପରୀକ୍ଷା ଜାଲିଆତି ମାମଲାରେ ପୁଣି ୨ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଗିରଫ ଅଭିଯୁକ୍ତମାନେ ହେଲେ କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡ ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ କଳାପଥର ଗ୍ରାମର ଭଗବାନ ସାହୁଙ୍କ ପୁଅ ଲୋକନାଥ ସାହୁ ଏବଂ ଉକ୍ତ ଗ୍ରାମର ତଳସାହିର ସାଧୁଆ ମହାନ୍ତିଙ୍କ ପୁଅ ମୁନା ମହାନ୍ତି ।

ଅନ୍ୟପଟେ, ଏହି ଘଟଣାରେ ଆଜି କଟକ ଜିଲ୍ଲା ବାରଙ୍ଗ ଅଞ୍ଚଳର ବିଶ୍ୱରଞ୍ଜନ ବେହେରାଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ବିଶ୍ଵରଞ୍ଜନ ସିଣ୍ଡିକେଟ୍ ମୁଖ୍ୟଙ୍କ ନିର୍ଦ୍ଦେଶରେ ଆଶାୟୀଙ୍କ ସହ ଯୋଗାଯୋଗ କରୁଥିଲା । ଆଶାୟୀଙ୍କଠାରୁ ଅରିଜିନାଲ ସାର୍ଟିଫିକେଟ୍ ଏବଂ ବ୍ଲାଙ୍କ ଚେକ୍ ମଧ୍ୟ ନେଉଥିଲା। ପ୍ରଶ୍ନପତ୍ର ଯୋଗାଇବ କହି ଆଶାୟୀଙ୍କଠାରୁ ଡକ୍ୟୁମେଣ୍ଟ ନେଇ ସିଣ୍ଡିକେଟ୍ ମୁଖ୍ୟଙ୍କୁ ଦେଉଥିଲା । ବିଶ୍ୱରଞ୍ଜନ ବେହେରାଙ୍କ ବିରୁଦ୍ଧରେ ମିଳିଥିବା ପ୍ରମାଣକୁ ଆଧାର କରି ଶନିବାର ଗିରଫ କରାଯାଇ ବ୍ରହ୍ମପୁର ଜେଏମଏଫସି କୋର୍ଟକୁ ଚାଲାଣ କରାଯାଇଛି ।

ତେବେ ଆଜି ୩ ଜଣଙ୍କୁ ଗିରଫ ପରେ ଏହି ମାମଲାରେ ୧୨୦ରେ ପହଞ୍ଚିଛି ଗିରଫଦାରୀ ସଂଖ୍ୟା ।

ପୋଲିସ ଏସଆଇ ପରୀକ୍ଷା ମହାଦୁର୍ନୀତିର ଗୁମର ଖୋଲିବାକୁ କ୍ରାଇମବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥୀଙ୍କୁ ତଦନ୍ତ ଦାୟିତ୍ବ ମିଳିଛି । ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ସମସ୍ତ ମାମଲାର ସେ ତଦନ୍ତ କରିବେ । ସୁପରଭାଇଜିଂ ଅଫିସର ଭାବେ ରହିବେ କ୍ରାଇମବ୍ରାଞ୍ଚ ଏସପି ଅନିଲ ବେଉରିଆ ।

ସୂଚନାଯୋଗ୍ୟ, ଚଳିତ ମାସ ୫ ଓ ୬ ତାରିଖ ଦିନ ପୋଲିସ ଏସଆଇ ଲିଖିତ ପରୀକ୍ଷା ହେବାର ଥିଲା । ଏଥି ପାଇଁ ପରୀକ୍ଷାର୍ଥୀମାନେ ପ୍ରବେଶ ପତ୍ର ପାଇସାରିଥିଲେ । ପରୀକ୍ଷା ପାଇଁ ଜୋରଦାର ପ୍ରସ୍ତୁତି ମଧ୍ୟ କରିଥିଲେ । ତେବେ ଅନିବାର୍ଯ୍ୟ କାରଣ ପାଇଁ ଆଗାମୀ ୫ ଓ ୬ ତାରିଖରେ ହେବାକୁ ଥିବା ଲିଖିତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ପରବର୍ତ୍ତୀ ପରୀକ୍ଷା ତାରିଖ ନେଇ ଓପିଆରବି ପକ୍ଷରୁ ସୂଚନା ଦିଆଯିବ ବୋଲି କୁହାଯାଇଛି ।

Comments are closed.