ନୂଆଦିଲ୍ଲୀ: ନୂତନ ନିର୍ବାଚନର କମିଶନର ଭାବେ ନିଯୁକ୍ତ ହେଲେ ଅବସରପ୍ରାପ୍ତ ଅଧିକାରୀ ଜ୍ଞାନେଶ କୁମାର ଏବଂ ଶୁଖବୀର ସିଂ ସନ୍ଧୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତି ନିଆଯାଇଛି । ବିଧିବଦ୍ଧ ଭାବରେ ଏହି ଦୁଇ ଜଣଙ୍କ ନାମ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଘୋଷଣା ସମୟରେ ସେଠାରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ କଂଗ୍ରେସ ନେତା ଆଧୀର ରଂଜନ ଚୈଧୁରୀ ମଧ୍ୟ ଉପସ୍ଥିତ ଥିଲେ । ସୁଖବୀର ସନ୍ଧୁ ଏବଂ ଜ୍ଞାନେଶ କୁମାର ୧୯୮୮ ବ୍ୟାଚ୍ ର ଅବସରପ୍ରାପ୍ତ ଆଇଏଏସ ଅଫିସର ଅଟନ୍ତି । ସନ୍ଧୁ ଉତ୍ତରାଖଣ୍ଡ ଆଇଏଏସ କ୍ୟାଡର ଥିବାବେଳେ ଜ୍ଞାନେଶ କେରଳ ଆଇଏଏସ କ୍ୟାଡରର । ସନ୍ଧୁ ପୂର୍ବରୁ ଉତ୍ତରପ୍ରଦେଶର ମୁଖ୍ୟ ଶାସନ ସଚିବ, ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣର ଚେୟାରମ୍ୟାନ୍ ସମେତ ପ୍ରମୁଖ ସରକାରୀ ପଦବୀରେ କାର୍ଯ୍ୟ କରିଛନ୍ତି । ସେପଟେ ଜ୍ଞାନେଶ ସଂସଦୀୟ ମନ୍ତ୍ରଣାଳୟ ଏବଂ ଅମିତ ଶାହାଙ୍କ ନେତୃତ୍ୱରେ ସହଯୋଗ ମନ୍ତ୍ରଣାଳୟରେ ସଚିବ ଭାବେ କାର୍ଯ୍ୟ କରିଛନ୍ତି।
ସେପଟେ ଚୟନ କମିଟିରେ ପ୍ରଧାନ ବିଚାରପତିଙ୍କ ସ୍ଥାନରେ କେନ୍ଦ୍ର ମନ୍ତ୍ରୀଙ୍କୁ ସାମିଲ କରିବାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ଅଧିର ରଂଜନ ଚୈଧୁରୀ । ସେ କହିଛନ୍ତି ଯେ ଭାରତର ପ୍ରଧାନ ବିଚାରପତି ଏହି କମିଟିରେ ରହିବା ଉଚିତ୍। ନିର୍ବାଚନ କମିଶନରଙ୍କ ନାମ ସ୍ଥିର କରିଥିବା ପ୍ୟାନେଲରେ ସରକାର ସଂଖ୍ୟାଗରିଷ୍ଠତା ହାସଲ କରିଛନ୍ତି। ଏପରି ପରିସ୍ଥିତିରେ, ସେମାନେ ଯାହା ଚାହାଁନ୍ତି ତାହା ହିଁ ହୋଇଥାଏ ।
ଅଧିର ରଂଜନ ଚୌଧୁରୀ କହିଛନ୍ତି ଯେ, ମୁଁ ଗତକାଲି ରାତିରେ ଦିଲ୍ଲୀରେ ପହଞ୍ଚିଥିଲି ଏବଂ ଆଜି ଅପରାହ୍ନରେ ବୈଠକ ଥିଲା । ମୋତେ ୨୧୨ ଜଣଙ୍କ ନାମ ଦିଆଯାଇଥିଲା, ଗୋଟିଏ ଦିନରେ କେହି କିପରି ଏତେ ସଂଖ୍ୟକ ପ୍ରାର୍ଥୀଙ୍କ ଯାଞ୍ଚ କରିପାରିବ ବୋଲି ପ୍ରଶ୍ନ କରିଛନ୍ତି ଅଧିର ରଂଜନ ଚୌଧୁରୀ । ତା’ପରେ, ବୈଠକର ମାତ୍ର ୬ମିନିଟ ପୂର୍ବରୁ ମୋତେ ସର୍ଟଲିଷ୍ଟ ହୋଇଥିବା ୬ଜଣଙ୍କ ନାମ ଦିଆଗଲା । ଆମର ଯେଉଁ କମିଟି ଅଛି ସେଥିରେ ପ୍ରଧାନମନ୍ତ୍ରୀ ଓ ଅମିତ ଶାହା ଗୋଟେ ପଟେ ମୁଁ ଏକା ଗୋଟେ ପଟେ । ଏପରିସ୍ଥିତିରେ ସେମାନଙ୍କ ସହ ବହୁମତ ଅଛି । ତେଣୁ କେବଳ ସେମାନଙ୍କୁ ବଛାଯାଇଛି ଯେଉଁମାନଙ୍କୁ ସେମାନେ ନିଯୁକ୍ତ କରିବାକୁ ଚାହୁଁଛନ୍ତି ।
Comments are closed.