ରାୟଗଡ଼ା: ଗଞ୍ଜେଇ ଚୋରା ଚାଲାଣ ପାଇଁ କରାଯାଉଥିଲା ଯୋଜନା। ଏହି ଯୋଜନାକୁ ପଣ୍ଡ କଲା ପୋଲିସ। ଗଞ୍ଜେଇକୁ ଚାଲାଣ ପାଇଁ ରଖାଯାଇଥିବା ବେଳେ ମାଡି ବସିଲା ପୋଲିସ। ଯାତ୍ରୀ ବିଶ୍ରାମାଗାର ନିକଟରୁ ଜବତ ହେଲା ୨ କ୍ୱିଣ୍ଟାଲ ୬୨କେଜି ଗଞ୍ଜେଇ। ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ବାଲକାବାଜୁ ଗାଁ ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଛି।
ସୂଚନା ମୁତାବକ, ମୁନିଗୁଡ଼ା ଥାନା ଅଧିନରେ ଥିବା ଡାଙ୍ଗସୋରଡା ଫାଣ୍ଡିର ଏସଆଇ ନରେଦ୍ର ବେହେରା ପାଟ୍ରୋଲିଂ କରୁଥିଲେ। ପାଟ୍ରୋଲିଂ କରିବା ସମୟରେ ବାଲକାବାଜୁ ଗାଁ ନିକଟରେ ଥିବା ଏକ ଯାତ୍ରୀ ବିଶ୍ରାମାଗାର ନିକଟରେ କିଛି ବସ୍ତା ରଖା ଯାଇଥିବା ଦେଖିଥିଲେ। ବସ୍ତା ଗୁଡ଼ିକ ଦେଖି ସେଥିରେ ଗଞ୍ଜେଇ ଥିବା ସନ୍ଦେହ କରି ତୁରନ୍ତ ମୁନିଗୁଡା ଥାନାକୁ ଖବର ଦେଇଥିଲେ।
ଖବର ପାଇ ମୁନିଗୁଡା ଥାନା ଅଧିକାରୀ ସୌଦାମିନୀ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ପହଞ୍ଚି ବସ୍ତା ଗୁଡ଼ିକୁ ଯାଞ୍ଚ କରିବା ବେଳେ ୨୧ଟି ବସ୍ତାରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲେ। ଉକ୍ତ ଗଞ୍ଜେଇ ବସ୍ତା ଗୁଡ଼ିକୁ ମୁନିଗୁଡା ଥାନାକୁ ଆଣି ଓଜନ କରିବା ବେଳେ ୨କ୍ୱିଣ୍ଟାଲ ୬୨କେଜି ଗଞ୍ଜେଇ ଥିଲା। ଏହି ଘଟଣାରେ କୌଣସି ଚାଲାଣକାରୀକୁ ଗିରଫ କରାଯାଇନାହିଁ। ତେବେ ଯାତ୍ରୀ ବିଶ୍ରାମାଗାର ନିକଟରେ କିଏ ଏହି ଗଞ୍ଜେଇ ରଖିଥିଲା ସେନେଇ ତଦନ୍ତ କରୁଛି ପୋଲିସ।
Comments are closed.