Latest Odisha News

BREAKING NEWS

ଜଗନ୍ନାଥ ଦାସଙ୍କ ‘ମହାଭାରତ’ ଏକ ଗୁରୁତ୍ୱପୂର୍ଣ୍ଣ ପାଠ

ଭୁବନେଶ୍ୱର: ଜଗନ୍ନାଥ ଦାସ ଓଡ଼ିଆ ନବାକ୍ଷରୀ ଭାଗବତ ରଚନା କରିବା ପୂର୍ବରୁ ରାମାୟଣ ଓ ମହାଭାରତ ରଚନା କରିଥିଲେ ବୋଲି ଦିବାକର ଦାସ ତାଙ୍କ ‘ଜଗନ୍ନାଥ ଚରିତାମୃତ’ରେ ଲେଖିଛନ୍ତି । କିନ୍ତୁ କେତେକ ଗବେଷକ ନବାକ୍ଷରୀ ‘ମହାଭାରତ’ର ରଚନାକାର ଭାବରେ ତାହାଙ୍କୁ ସ୍ୱୀକାର କରି ନାହାନ୍ତି । ତାହା ସତ୍ତ୍ୱେ ତାଙ୍କ ନାମରେ ଭଣିତା ଥିବା ‘ମହାଭାରତ’ର ଗୁରୁତ୍ୱକୁ ଅସ୍ୱୀକାର କରାଯାଇ ପାରିବ ନାହିଁ ବୋଲି ବିଶିଷ୍ଟ ଭାଷାବିତ୍‌, ଗବେଷକ ତଥା କାନପୁର ଆଇଆଇଟି ର ପ୍ରାକ୍ତନ ଇଂରେଜୀ ପ୍ରଫେସର ଡକ୍ଟର ବିବୁଧେନ୍ଦ୍ର ନାରାୟଣ ପଟ୍ଟନାୟକ କହିଛନ୍ତି ।

ମଙ୍ଗଳବାର ପୂର୍ବାହ୍ନରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ‘ପ୍ରାଚୀନ’ ଅନୁଷ୍ଠାନ ଓ ଓଡ଼ିଆ ଗବେଷଣା ପରିଷଦର ମିଳିତ ଆନୁକୂଲ୍ୟରେ ‘ଜଗନ୍ନାଥ ଦାସଙ୍କ ମହାଭାରତ’ ଶୀର୍ଷକ ସଂପାନ ଅନୁଷ୍ଠିତ ହୋଇଥିଲା । ଏଥିରେ ବକ୍ତବ୍ୟ ଉପସ୍ଥାପନ କରି ପ୍ରଫେସର ପଟ୍ଟନାୟକ କହିଥିଲେ ଯେ, ମହାଭାରତର ଏହି ପାଠରେ ବ୍ୟାସଦେବଙ୍କ ସଂସ୍କୃତ ମହାଭାରତ, ସାରଳା ଦାସଙ୍କ ଓଡ଼ିଆ ମହାଭାରତ ଓ ଶ୍ରୀମଦ୍ଭଗବତ୍‌ଗୀତାର ସମନ୍ୱୟ ରହିଛି । ମହାଭାରତର ବିଷୟବସ୍ତୁକୁ ସଂକ୍ଷେପରେ ଏବଂ ଅତ୍ୟନ୍ତ ବିଚାରବନ୍ତ ଭାବରେ ଏଥିରେ ଉପସ୍ଥାପନ କରାଯାଇଛି ।

ଏହି ସଂପାନରେ ଓଡ଼ିଆ ଗବେଷଣା ପରିଷଦର ଉପସଭାପତି ଡକ୍ଟର ଅସିତ ମହାନ୍ତି ଅଧ୍ୟକ୍ଷତା କରିଥିବାବେଳେ ‘ପ୍ରାଚୀନ’ର ମୁଖ୍ୟା ପ୍ରଫେସର ଗାୟତ୍ରୀବାଳା ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ । ପ୍ରାରମ୍ଭରେ କବି ପଦ୍ମଭୂଷଣ ରମାକାନ୍ତ ରଥଙ୍କ ସ୍ବର୍ଗତ ଆତ୍ମାର ସଦ୍‌ଗତି ପାଇଁ ଏକମିନିଟ୍‌ ନିରବପ୍ରାର୍ଥନା କରାଯାଇଥିଲା ।

ପରିଷଦର ସଂପାଦକ ଡକ୍ଟର ଗୌରାଙ୍ଗଚରଣ ଦାଶ, କୋଷାଧ୍ୟକ୍ଷ ସୁବାସ ପଟ୍ଟନାୟକ, ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ପ୍ରଧାନ, ପ୍ରଫେସର ଯତୀନ୍ଦ୍ର କୁମାର ନାୟକ, ପ୍ରଫେସର ବସନ୍ତ କୁମାର ପଣ୍ଡା, ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ପ୍ରଫେସର ସନ୍ତୋଷ କୁମାର ରଥ, ପ୍ରଫେସର ମନୋରଞ୍ଜନ ପ୍ରଧାନ, କବି ଶୈଳଜ ରବି, ଅନୁବାଦକ ସୁଭାଷ ଶତପଥୀ, ଗାଳ୍ପିକା ସୁନନ୍ଦା ପ୍ରଧାନ, ଗବେଷକ ଡକ୍ଟର ଫଣୀନ୍ଦ୍ର ଭୂଷଣ ନନ୍ଦ, ଡକ୍ଟର ପ୍ରଦୀପ୍ତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ବିଶ୍ୱବିଦ୍ୟାଳୟର ଗବେଷକ ଛାତ୍ରଛାତ୍ରୀଙ୍କ ସମେତ ଅନ୍ୟମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ‘ପ୍ରାଚୀନ’ ପକ୍ଷରୁ ଡକ୍ଟର ନିହାର ରଞ୍ଜନ ମିଶ୍ର ଧନ୍ୟବାଦ ଦେଇଥିଲେ ।

Comments are closed.