ନୂଆପଡ଼ା:ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନବିଭାଗ ପକ୍ଷରୁ ପୃଥକ ଦୁଇଟି ସ୍ଥାନରେ ଚଢ଼ଉ । ଏଥିରେ ଦୁଇଟି କଲରାପତରିଆ ବାଘ ଛାଲ ଓ ୨ ସମ୍ୱର ଶିଙ୍ଗ ଜବତ କରାଯାଇଛି । ଏହି ଘଟଣାରେ ବନ ବିଭାଗ ବାପ ପୁଅ ସମେତ ୬ ଜଣଙ୍କୁ ଗିରଫ କରିଛି। ଖଡ଼ିଆଳ ଡ଼ିଏଫଓ ଅଜିଜ ଖାନ ଏ ନେଇ ସୂଚନା ଦେଇଛନ୍ତି ।
ବନବିଭାଗର ସୂଚନାନୁସାରେ ଗତକାଲି ସନ୍ଧ୍ୟାରେ ବିଶ୍ୱସ୍ତ ସୁତ୍ରରୁ ଖବରପାଇ ଏକ ଟିମ ବୋଡ଼େନ୍ ରେଞ୍ଜ ଅଧୀନସ୍ଥ ଶରଧାପୁର ଗାଁରେ ଚଢ଼ଉ କରିଥିଲା । ଏହି ଚଢ଼ଉରେ ଗୋଟିଏ କଲରାପତରିଆ ବାଘଛାଲ ଓ ଦୁଇଟି ସମ୍ୱର ଶିଙ୍ଗ ଜବତ କରିଥିଲା। ଏ ଘଟଣାରେ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।
ସେହିପରି ଆଜି ଆଉ ଏକ ଚଢ଼ଉରେ ନୂଆପଡା ରେଞ୍ଜର ପାତାଳଗୁଡ଼କରୀ ଗାଁରେ ଏକ କଲରାପତରିଆ ବାଘ ଛାଲ ଜବତ କରିଥିଲେ । ବେଆଇନ ଭାବେ ବନ୍ୟ ଜନ୍ତୁ ଶିକାର କରିଥିବା ଅଭିଯୋଗରେ ବାପ ଏବଂ ପୁଅ ଗିରଫ ହୋଇଛନ୍ତି। ଅଭିଯୁକ୍ତ ହେଲେ ମହେଶ ସାହୁ ଏବଂ ତାଙ୍କର ପୁଅ ଗଜାନନ ସାହୁ।