କେନ୍ଦୁଝର: ରାଜ୍ୟର ପର୍ଯ୍ୟଟନସ୍ଥଳୀ ସହ ଯୋଡି ହେଲା ଆଉ ୨୦ଟି ନୂଆ ସ୍ଥାନ । ଆଜି ରାଜ୍ୟର ୨୦ଟି ସ୍ଥାନକୁ ପର୍ଯ୍ୟଟନସ୍ଥଳୀ ଘୋଷଣା କଲେ ରାଜ୍ୟ ସରକାର । ଏଥିରେ କେନ୍ଦୁଝର ଜିଲ୍ଲାର ସର୍ବାଧିକ ୭ଟି ସ୍ଥାନ ରହିଛି ।
ନୂତନ ଭାବରେ ମାନ୍ୟତା ମିଳିଥିବା ପର୍ଯ୍ୟଟନ କେନ୍ଦ୍ରଗୁଡ଼ିକ ହେଲା ତେଲକୋଇ ବ୍ଲକର ଟେଣ୍ଟେଇନାଳି ଜଳପ୍ରପାତ, ବାଂଶପାଳ ବ୍ଲକର ଗିରଡ଼ିବନ୍ଧ ଜଳପ୍ରପାତ, ଝୁମ୍ପୁରା ବ୍ଲକର କାଇଯୋଡ଼ା ଜଳପ୍ରପାତ, ଘଟଗାଁ ବ୍ଲକର କାଇଁଝର ଜଳପ୍ରପାତ ଓ ବାରହାଟିପୁରା ଶୈବପୀଠ, ଆନନ୍ଦପୁର ବ୍ଲକର ବୈତରଣୀ ନଦୀକୂଳ ଦୃଶ୍ୟମୟ ଦରଗଡ଼ିଶିଳା ଓ ପାଟଣା ବ୍ଲକର ଡାବରଚୁଆ ଡ୍ୟାମ୍ ରହିଛି ।
ଏହି ୭ଟି ସ୍ଥାନକୁ ପର୍ଯ୍ୟଟନ କେନ୍ଦ୍ର କରାଯିବାକୁ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଆଇଏଏସ ସମର୍ଥ ବର୍ମା ଜିଲ୍ଲାପାଳମାନଙ୍କୁ ଚିଠି କରିଛନ୍ତି ।
ତେବେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଡାବରଚୁଆ ଡ୍ୟାମ ସାଇଟର ଉନ୍ନତିକରଣ କରାଯାଇ ଏହାକୁ ଏକ ମନୋରମ ପର୍ଯ୍ୟଟନସ୍ଥଳ କରାଯିବ ବୋଲି ସୂଚନା ମିଳିଛି ।
ଅନ୍ୟପଟେ, ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୨୦ଟି ନୂତନ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଲଳିଥିବା ତାଲିକାରେ ରହିଛି ବରଗଡର ତିନୋଟି ସ୍ଥାନ । ଏଥିରେ ବରଗଡ଼ ଜିଲ୍ଲାର ତିନୋଟି ମନ୍ଦିର ରହିଛି । ସେଗୁଡିକ ହେଲା ଭଟଲିର ଦଧିବାମନ ମନ୍ଦିର, ଅମ୍ବାଭୋନାର କେଦାରନାଥ ମନ୍ଦିର ଏବଂ ବରଗଡ଼ ବ୍ଲକର ବୈଷ୍ଣୋଦେବୀ ମନ୍ଦିର ।
ଏହି ତିନୋଟି ମନ୍ଦିର ଯୋଡିହେବା ପରେ ଜିଲ୍ଲାରେ ବର୍ତ୍ତମାନ ସ୍ବୀକୃତିପ୍ରାପ୍ତ ପର୍ଯ୍ୟଟନସ୍ଥଳୀର ସଂଖ୍ୟା ୧୩କୁ ପହଞ୍ଚିଛି । ନୂତନଭାବେ ଚିହ୍ନଟ ହୋଇଥିବା ପର୍ଯ୍ୟଟନ କେନ୍ଦ୍ର ଗୁଡ଼ିକ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରକୁ ଆହୁରି ମଜବୁତ୍ କରିବ ଏବଂ ନିଯୁକ୍ତି, ନିବେଶ, ଆଞ୍ଚଳିକ ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବ ବୋଲି ଆଶା ପ୍ରକଟ କରିଛନ୍ତି ଜିଲ୍ଲାବାସୀ ।
Comments are closed.