Latest Odisha News

BREAKING NEWS

ଓଡିଶାର ୨୦ ଛାତ୍ରଛାତ୍ରୀ ସିଙ୍ଗାପୁର ଫିନଟେକ୍ ଫେଷ୍ଟିଭାଲ୍‌ରେ ଦେବେ ଯୋଗ

ଭୁବନେଶ୍ୱର: ଓଡିଶାର ୧୦ଟି ଉଚ୍ଚଶିକ୍ଷାନୁଷ୍ଠାନର ୨୦ଜଣ ଛାତ୍ରଛାତ୍ରୀ ସିଙ୍ଗାପୁର ଗସ୍ତ କରିଛନ୍ତି। ନଭେମ୍ବର ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ସିଙ୍ଗାପୁର ଫିନଟେକ୍ ଫେଷ୍ଟିଭାଲ୍‌ରେ ଓଡିଶାର ୨୦ ଜଣ ଛାତ୍ରଛାତ୍ରୀ ଯୋଗଦେବେ। ଏଥିସହ ସିଙ୍ଗାପୁରରେ ଥିବା ବିଭିନ୍ନ ବିତ୍ତିୟ କମ୍ପାନୀ, ନ୍ୟାସନାଲ ୟୁନିଭର୍ସିଟି ଅଫ୍ ସିଙ୍ଗାପୁର – ଏସିଆନ୍‌ ଇନଷ୍ଟିଚୁଟ୍‌ ଅଫ୍ ଡିଜିଟାଲ୍ ଫାଇନାନ୍ସ, ମନିଟାରି ଅଥରିଟି ଅଫ୍ ସିଙ୍ଗାପୁର ଗ୍ୟାଲେରୀ, ନ୍ୟୁ ୱାଲର୍ଡ ଫାଉଣ୍ଡ୍ରି ମଧ୍ୟ ପରିଭ୍ରମଣ କରିବେ।

ଓଡିଶା ସରକାର ଏବଂ ଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକ୍ନୋଲୋଜି ନେଟୱାର୍କ (GFTN)ର ମିଳିତ ସହଭାଗିତାରେ ଆୟୋଜିତ ହେଉଥିବା ଭାରତ ନେତ୍ର କାର୍ଯ୍ୟକ୍ରମ ଅଧୀନରେ ପ୍ରଦାନ କରାଯାଉଥିବା ସାର୍ଟିଫିକେଟ ଇନ୍‌ ଫିନ୍‌ଟେକ ଓ ଇନ୍‌ସ୍ୟୁରଟେକ (Certificate In FinTech & InsurTech) ମାଧ୍ୟମରେ ଓଡିଶାର ୨୦ ଜଣ ଛାତ୍ରଛାତ୍ରୀଙ୍କୁ ସିଙ୍ଗାପୁର ଫିନଟେକ୍ ଫେଷ୍ଟିଭାଲ୍‌ରେ ଯୋଗଦେବା ପାଇଁ ଚୟନ କରାଯାଇଛି।

ଖଲ୍ଲିକୋଟ ବିଶ୍ୱ ବିଦ୍ୟାଳୟ, ଫକୀର ମୋହନ (ସ୍ୱୟଂଶାସିତ) ମହାବିଦ୍ୟାଳୟ, ରେଭେନ୍ସା ବିଶ୍ୱ ବିଦ୍ୟାଳୟ, ଅଞ୍ଚଳ ଡିଗ୍ରୀ ମହାବିଦ୍ୟାଳୟ, ପଦ୍ମପୁର, ସାଲେପୁର (ସ୍ୱୟଂ ଶାସିତ) ମହାବିଦ୍ୟାଳୟ, ଶଶୀଭୂଷଣ ରଥ ସରକାରୀ (ସ୍ୱୟଂ ଶାସିତ) ମହିଳା ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, ବ୍ରହ୍ମପୁର, ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ, ଖ୍ରୀଷ୍ଟ ଡିଗ୍ରୀ ମହାବିଦ୍ୟାଳୟ ଓ ପଞ୍ଚାୟତ ମହାବିଦ୍ୟାଳୟ, ବରଗଡ଼ ଆଦି ଶିକ୍ଷାନୁଷ୍ଠାନରୁ ୨୦ ଜଣ ଛାତ୍ରଛାତ୍ରୀ ସିଙ୍ଗାପୁର ଗସ୍ତ କରିଛନ୍ତି।

ଛାତ୍ରଛାତ୍ରୀମାନଙ୍କୁ ୨ଟି ଗ୍ରୁପ – ଏମ୍‌ୟୁଏଫ୍‌ଜି ୟଙ୍ଗ ଇନୋଭେଟରସ୍‌ (MUFG Young Innovators) ଏବଂ ଗ୍ଲୋବାଲ୍ ପାଥ୍ ଫାଇଣ୍ଡରସ୍‌ (Global Pathfinders) ରେ ବିଭକ୍ତ କରାଯାଇଛି। ଏମ୍‌ୟୁଏଫ୍‌ଜି ୟଙ୍ଗ ଇନୋଭେଟରସ୍‌ରେ ସ୍ଥାନ ପାଇଥିବା ୮ ଜଣ ଛାତ୍ରଛାତ୍ରୀ
ଏମ୍‌ୟୁଏଫ୍‌ଜି ଫିନ୍‌ଟେକ୍ ଫେଷ୍ଟିଭାଲ୍‌ରେ ଯୋଗଦେଇ ଏମ୍‌ୟୁଏଫ୍‌ଜି ଏବଂ ଏହାର ସହଯୋଗୀ କମ୍ପାନୀଗୁଡ଼ିକର ପ୍ରତିନିଧିଙ୍କ ସହ ଆଲୋଚନା କରିବେ।

ଏହି ଅବସରରେ ସେମାନେ ନିଜ କ୍ୟାପଷ୍ଟୋନ୍‌ ପ୍ରକଳ୍ପ ‘ଅର୍ଥପାଥ୍ ଏଆଇ’ (ArthaPath AI- AI Powered Financial Wellness Companion)କୁ ଉପସ୍ଥାପନ କରିବା ସହ ଶିଳ୍ପ ଜଗତର ପ୍ରତିନିଧିମାନଙ୍କ ସହ ଫିନଟେକ୍ ଓ ଇନସ୍ୟୁରଟେକ୍ କ୍ଷେତ୍ରର ବିକାଶ ଏବଂ ଏହି କ୍ଷେତ୍ରରେ ବ୍ୟବହୃତ ହେଉଥିବା ନୂତନ ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧରେ ଆଲୋଚନା କରିବେ।

ସେହିପରି ଭାବେ ଗ୍ଲୋବାଲ୍ ପାଥ୍‌ଫାଇଣ୍ଡର୍ସ ଗ୍ରୁପରେ ସ୍ଥାନ ପାଇଥିବା ୧୨ ଜଣ ଛାତ୍ରଛାତ୍ରୀ ‘ଇନ୍‌ସାଇଟ୍ସ ଆନୁଆଲ୍ ମିଟିଂ’ରେ ଯୋଗଦେଇ ବିଶ୍ୱ ଆର୍ଥିକ ବ୍ୟବସ୍ଥାରେ ଆସୁଥିବା ପରିବର୍ତ୍ତନ ଏବଂ ଡିଜିଟାଲ୍ ଫାଇନାନ୍ସ କ୍ଷେତ୍ରରେ ଆସିଥିବା ନୂତନ ଅଭିନବ ପଦକ୍ଷେପ ସମ୍ପର୍କରେ ଜାଣିବାର ସୁଯୋଗ ପାଇବେ।

ସମସ୍ତ ୨୦ଜଣ ଛାତ୍ରଛାତ୍ରୀ ନଭେମ୍ବର ୧୮ରୁ ୨୦ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ସିଙ୍ଗାପୁର ଫିନ୍‌ଟେକ୍ ଫେଷ୍ଟିଭାଲ୍‌-୨୦୨୬ରେ ଯୋଗଦେବେ। ଏଥିରେ ଛାତ୍ରଛାତ୍ରୀମାନେ ଆର୍ଥିକ ସେବା କ୍ଷେତ୍ରରେ ଆସୁଥିବା ନୂତନ ପରିବର୍ତ୍ତନ ଓ ପ୍ରଯୁକ୍ତିବିଦ୍ୟା ସମ୍ପର୍କରେ ଜାଣିବା ସହ ବିଶ୍ୱସ୍ତରୀୟ କମ୍ପାନୀର ପ୍ରତିନିଧିମାନଙ୍କ ସହ ଭାବ ବିନିମୟ କରିବାର ସୁଯୋଗ ପାଇବେ।

ସୂଚନାଯୋଗ୍ୟ ଯେ, ଭାରତନେତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାର ଫିନ୍‌ଟେକ୍ ଓ ଇନ୍‌ସ୍ୟୁର୍‌ଟେକ୍ କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବିକାଶ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ଅନୁଭୂତି ଦେବା ପାଇଁ ସୁଯୋଗ ପ୍ରଦାନ କରୁଛନ୍ତି।

Leave A Reply

Your email address will not be published.