ଭୁବନେଶ୍ୱର: ରାଜ୍ୟର ସମସ୍ତ ୩୧୪ ଟି ବ୍ଲକରେ ୪,୧୨୪ କୋଟି ଟଙ୍କା ବଜେଟ୍ ବିନିମୟରେ ୩୧୪ଟି ବ୍ଲକ ସ୍ତରୀୟ ଷ୍ଟାଡ଼ିୟମ୍ ନିର୍ମାଣ କରାଯିବ । ଏଥିପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆଜି କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ବ୍ଲକସ୍ତରୀୟ ଷ୍ଟାଡ଼ିୟମ୍ ନିର୍ମାଣ ପ୍ରକଳ୍ପ ସମ୍ପର୍କିତ ଏକ ଦିଗଦର୍ଶନ ତଥା ବୈଷୟିକ ଉପସ୍ଥାପନା (Orientation-cum-Technical Presentation) ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକସ୍ତରୀୟ ଷ୍ଟାଡ଼ିୟମ୍ ନିର୍ମାଣ ପ୍ରକଳ୍ପରେ ଉନ୍ନତମାନର ନିର୍ମାଣ କାର୍ଯ୍ୟ ଏବଂ ସମୟାନୁବର୍ତ୍ତୀ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱାରୋପ କରାଯାଇଛି।
ବ୍ଲକ ସ୍ତରୀୟ ଷ୍ଟାଡ଼ିୟମ୍ରେ ପ୍ରସ୍ତାବିତ ଥିବା ଆନୁଷଙ୍ଗିକ ସୁବିଧାଗୁଡ଼ିକ ମଧ୍ୟରେ ଷ୍ଟାଡ଼ିୟମ୍ରେ ଫୁଟବଲ୍, କ୍ରିକେଟ୍ ପଡ଼ିଆ, ଆଥଲେଟିକ୍ସ ଟ୍ରାକ୍, ଥ୍ରୋ ଏରିଆ, ଜମ୍ପ ଏରିଆ, ଭଲିବଲ କୋର୍ଟ ଆଦିର ନିର୍ମାଣ କରାଯିବ। ଏଥିସହିତ ଦେଶୀୟ ବା ଆଞ୍ଚଳିକ କ୍ରୀଡ଼ା ଯଥା ଖୋଖୋ, କବାଡ଼ି ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ। ଷ୍ଟାଡ଼ିୟମ୍ର ଇଣ୍ଡୋର ହଲ୍ରେ ବ୍ୟାଡ଼ମିଣ୍ଟନ କୋର୍ଟ, ଟେବୁଲ ଟେନିସ୍ ଆଦି କ୍ରୀଡ଼ା ନିମନ୍ତେ ମଧ୍ୟ ବ୍ୟବସ୍ଥା ରହିବ।
ଏଥିସହ ପ୍ରତିଟି ଷ୍ଟାଡ଼ିୟମ୍ରେ ସାଧାରଣ ସୁବିଧା କେନ୍ଦ୍ର (Common Facility Centre) ରହିବା ସହ ଷ୍ଟାଡ଼ିୟମ୍ରେ ବିଭିନ୍ନ ବ୍ୟବସ୍ଥା ଯଥା ଜଳ ଯୋଗାଣ, ନିଷ୍କାସନ ବା ସ୍ବେରେଜ, ଆଲୋକୀକରଣ, ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ପ୍ରାଧାନ୍ୟ ଦିଆଯିବ। ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ କରାଯାଇ ତୃଣମୂଳ ସ୍ତରରୁ କ୍ରୀଡ଼ା ପ୍ରତିଭାର ମଧ୍ୟ ଚୟନ କରାଯିବ।
ଆଜିର କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବ୍ଲକ ସ୍ତରୀୟ ଷ୍ଟାଡିୟମ୍ ପ୍ରକଳ୍ପର ନିର୍ମାଣ କାର୍ଯ୍ୟର ଗୁଣାତ୍ମକମାନ ଓ ସମୟାନୁବର୍ତ୍ତୀ କାର୍ଯ୍ୟାନ୍ୱୟନ ଉପରେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ଗୁରୁତ୍ୱରୋପ କରିଥିଲେ। ପ୍ରତ୍ୟେକଟି କାର୍ଯ୍ୟକୁ ସଠିକ୍ ସମୟ ମଧ୍ୟରେ ସାରିବା ପାଇଁ କ୍ରୀଡ଼ାମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
ସେ କହିଥିଲେ ଯେ, କ୍ରୀଡ଼ା ଓ କ୍ରୀଡ଼ାବିତ୍ମାନଙ୍କର ସାମଗ୍ରିକ ବିକାଶ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ତୃଣମୂଳ ସ୍ତରରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ ରାଜ୍ୟ ସରକାର ଓଡ଼ିଶାର ୩୧୪ଟି ବ୍ଲକରେ ବ୍ଲକ ସ୍ତରୀୟ ଷ୍ଟାଡ଼ିୟମ୍ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆମ ରାଜ୍ୟର ପ୍ରତ୍ୟେକ ବ୍ଲକରେ କ୍ରୀଡ଼ା ପ୍ରତିଭାର ବିକାଶ କରିବା ସହ କ୍ରୀଡ଼ାବିତ୍ମାନେ ଯେପରି କ୍ରୀଡ଼ା କ୍ଷେତ୍ରରେ ନିଜର ସ୍ୱର୍ଣ୍ଣିମ ଭବିଷ୍ୟତ ନିର୍ମାଣ କରିପାରିବେ ସେହି ଲକ୍ଷ୍ୟ ନେଇ କାର୍ଯ୍ୟ କରାଯାଉଛି ।
ଆଜିର କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଭୂପେନ୍ଦ୍ର ସିଂ ପୁନିଆ, କ୍ରୀଡ଼ା ନିର୍ଦ୍ଦେଶକ ଡ଼ା. ୟେଦୁଲା ବିଜୟ , ସ୍ୱତନ୍ତ୍ର ଶାସନ ସଚିବ ଅଶୋକ କୁମାର ପଣ୍ଡା, ଅତିରିକ୍ତ ଶାସନ ସଚିବ ବିଜୟ କୁମାର ସ୍ୱାଇଁ, ଗ୍ରାମ୍ୟ ଉନ୍ନୟନ ବିଭାଗ, ପୂର୍ତ୍ତ ବିଭାଗ ଓ ଇଡ୍କୋର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
