Latest Odisha News

BREAKING NEWS

ଦୂର ହେବ ଶିକ୍ଷକ ଅଭାବ : ନିଯୁକ୍ତ ହେବେ ୨୦ ହଜାର ପ୍ରାଥମିକ ଶିକ୍ଷକ, ୧୩ରୁ ଆବେଦନ କରିବେ ଆଶାୟୀ

ଭୁବନେଶ୍ୱର: ନିଯୁକ୍ତି ପାଇବେ ୨୦ ହଜାର ପ୍ରାଥମିକ ଶିକ୍ଷକ । ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି  ।  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୧୩ ତାରିଖରୁ ଆଶାୟୀ ପ୍ରାର୍ଥୀମାନେ ଓସେପା ୱେବସାଇଟ୍‌ରେ ଶିକ୍ଷକ ପଦବୀ ପାଇଁ ଆବେଦନ କରିପାରିବେ । ଓସେପା ୱେବସାଇଟ୍ ଡବ୍ଲୁଡବ୍ଲୁଡବ୍ଲୁ ଓସେପା ଡଟ୍ ଓଡ଼ିଶା ଡଟ୍ ଗଭ୍ ଡଟ୍ ଇନରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ଅକ୍ଟୋବର ୧୦ ତାରିଖ ଆବେଦନର ଶେଷ ତାରିଖ ରହିଛି ।

କିଛି ବର୍ଷ ବ୍ୟବଧାନରେ ଏହି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାପରେ ରାଜ୍ୟର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଦୂର ହେବ । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ହେବ । କମ୍ପ୍ୟୁଟର ବେସ୍ଡ ଟେଷ୍ଟ ମାଧ୍ୟମରେ ଲିଖିତ ପରୀକ୍ଷା କରାଯାଇ ପ୍ରାର୍ଥୀ ଚୟନ କରାଯିବ । ଜିଲ୍ଲା ଅନୁସାରେ ଜିଲ୍ଲା ପରିଷଦ ପକ୍ଷରୁ ସମସ୍ତ ପ୍ରାଥମିକ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ଓସେପା ୱେବସାଇଟରେ ନିଯୁକ୍ତି ସମ୍ବନ୍ଧୀୟ ସମସ୍ତ ତଥ୍ୟ ପ୍ରଦାନ କରାଯିବ ।

ଅନଲାଇନରେ ଆବେଦନ ପ୍ରକ୍ରିୟାରେ ସମସ୍ୟା ହେଲେ ଏକ ଯୋଗାଯୋଗ ନମ୍ବର ମଧ୍ୟ ଦିଆଯାଇଛି । ହେଲ୍ପ ଡେସ୍କ ନମ୍ବର ୭୩୫୩୯୨୭୭୭୯ ନମ୍ବରରେ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଦିନ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଯୋଗାଯୋଗ କରିହେବ । ଏହି ନିଯୁକ୍ତି ଦ୍ୱାରା ରାଜ୍ୟର ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଦୂର ହେବା ସହ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସୁଦୃଢ ହେବାର ଆଶା କରାଯାଉଛି  ।

Leave A Reply

Your email address will not be published.