ମାଲକାନଗିରି: ବିକ୍ରି ପୂର୍ବରୁ ୨୦୦ ଜୀବନ୍ତ କଇଁଛ ଜବତ ହୋଇଛି । ଏଭଳି ଘଟଣା ସାମ୍ନାକୁ ଆସିଛି ମାଲକାନଗିରି ଜିଲ୍ଲା କୁର୍ତ୍ତୀ ସେକ୍ସନ ଅନ୍ତର୍ଗତ ଏମଭି-୬୨ ଗ୍ରାମ ଅଞ୍ଚଳରେ । କାଲିମେଳା ଓ ଏମଭି-୭୯ ବନ ବିଭାଗର ମିଳିତ ଚଢ଼ାଉ କରି ଏହି ଜୀବନ୍ତ କଇଁଛ ଗୁଡିକୁ ଜବତ କରିଛନ୍ତି ।
ଖବର ଅନୁସାରେ, କୁର୍ତ୍ତୀ ସେକ୍ସନ ଅନ୍ତର୍ଗତ ଏମଭି-୬୨ ଗ୍ରାମ ନିକଟରେ ଥିବା ଏକ ଜଙ୍ଗଲରେ ଏକ ବୋଲେରୋ ଗାଡି ଭିତରେ ଅଖା ବସ୍ତାରେ ଲୁଚେଇ ରଖା ଯାଇଥିବା ୨୦୦ ଜୀବନ୍ତ କଇଁଛକୁ ବନ ବିଭାଗ ଜବତ କରିଛି । ଏହି ସବୁ କଇଁଛ ଆନ୍ଧ୍ରପ୍ରଦେଶରୁ ଏମଭି-୬୨ ଗ୍ରାମକୁ ଆସୁଥିବା ସୂଚନା ରହିଛି । ବୋଲେରୋ ଗାଡିକୁ ବନବିଭାଗ ଜବତ କରିଥିଲେ ମଧ୍ୟ ଗାଡି ଛାଡି ମାଫିଆ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।
ଏସବୁ କଇଁଛକୁ ମାଫିଆମାନେ କମ୍ ମୂଲ୍ୟରେ କିଣି ଜିଲ୍ଲାରେ ଚଢା ଦରରେ ବିକ୍ରି କରିଥାନ୍ତେ । ଜବତ କଇଁଛର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି ବନବିଭାଗ ସୂତ୍ରରୁ ଜଣା ପଡିଛି ।