Latest Odisha News

BREAKING NEWS

Anganwadi: ୨୦ହଜାର ଅଙ୍ଗନବାଡ଼ି କେନ୍ଦ୍ରର ନାହିଁ ନିଜସ୍ୱ ଗୃହ,୩୮୯୦ଟି ଭଡ଼ା ଘରେ ଚାଲିଛି

ଭୁବନେଶ୍ବର: ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନରେ ଅଙ୍ଗନବାଡି କେନ୍ଦ୍ରକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ବିଧାୟକ । ଉତ୍ତର ରଖିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ରାଜ୍ୟରେ ୨୦, ୧୫୦ ଅଙ୍ଗନଓ୍ବାଡି କେନ୍ଦ୍ରର ନାହିଁ ନିଜସ୍ଵ ଗୃହ। ଭଡ଼ା ଘରେ ଚାଲିଛି ଅଧିକାଂଶ ଅଙ୍ଗନୱାଡି କେନ୍ଦ୍ର। ବିଜେଡି ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନରରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ରାଜ୍ୟରେ ୨୦ ହଜାର ୧୫୦ ଅଙ୍ଗନଓ୍ବାଡି କେନ୍ଦ୍ରର ନାହିଁ ନିଜସ୍ଵ ଗୃହ । ରାଜ୍ୟରେ ମୋଟ୍ ଅଙ୍ଗନଓ୍ବାଡି ସଂଖ୍ୟା ୭୪ ହଜାର ୨୨୪ । ସେଥି ମଧ୍ୟରୁ ୫୪ ହଜାର ୭୪ଟି ଅଙ୍ଗନଓ୍ବାଡି କେନ୍ଦ୍ରର ନିଜସ୍ଵ ଗୃହ ଅଛି । ୧୦,୪୬୯ ଟି ଅଙ୍ଗନବାଡି କେନ୍ଦ୍ର କମ୍ୟୁନିଟି ସେଣ୍ଟରରେ ଚାଲିଛି । ୩୮୯୦ଟି ଅଙ୍ଗନବାଡି କେନ୍ଦ୍ର ଭଡ଼ା ଘରେ ଚାଲିଛି । ୪୫୭୪ଟି ଅଙ୍ଗନବାଡି କେନ୍ଦ୍ର ସ୍କୁଲ ଘରେ ଚାଲିଛି । ୧୦, ୪୧୬ଟି ମିନି ଅଙ୍ଗନବାଡି କେନ୍ଦ୍ର ଅଙ୍ଗନବାଡି କେନ୍ଦ୍ରକୁ ରୂପାନ୍ତର ହୋଇଛି । ଏବେ ୭୩୮୯ଟି ଅଙ୍ଗନବାଡ଼ିର ଗୃହନିର୍ମାଣ ଚାଲିଛି।

ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି, ସକ୍ଷମ ଅଙ୍ଗନବାଡ଼ିଗୁଡ଼ିକରେ ଏଲଇଡି, ଆର ଓ ମେସିନ୍ ବିଦ୍ୟୁତ୍ ବ୍ୟବସ୍ଥା କରାଯାଉଛି। କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ସମସ୍ତ କାର୍ଯ୍ୟ ସଂପାଦିତ ହେଉଛି।

ତେବେ ସବୁ ଅଙ୍ଗନୱାଡି ପାଇଁ ନିଜସ୍ଵ ଗୃହ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । କହିଛନ୍ତି ଯେଉଁଠି ସ୍ଥାନ ମିଳିବ ନାହିଁ ପଞ୍ଚାୟତିରାଜ ବିଭାଗ ସହଯୋଗରେ ଜାଗା କିଣି ନିର୍ମାଣ ହେବ । ଚଳିତ ଅତିରିକ୍ତ ବଜେଟରେ ୧୦.୯୦୦ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ବ୍ୟୟବରାଦ ହୋଇଛି ।

Comments are closed.