Latest Odisha News

BREAKING NEWS

୨୦୧୯ ନିର୍ବାଚନ ଓଡ଼ିଶା ପୋଲିସ ଲାଗି ଏକ ବଡ଼ ଚ୍ୟାଲେଞ୍ଜ୍: ଡ଼ିଜିପି

ଭୁବନେଶ୍ୱର: ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନ ଓଡ଼ିଶା ଲାଗି ଏକ ବିରାଟ ଚ୍ୟାଲେଞ୍ଜ୍ ବୋଲି ଗୁରୁବାର ଦିନ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (ଡ଼ିଜିପି) ଡଃ ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି ।

ସ୍ଥାନୀୟ ପୋଲିସ ଭବନଠାରେ ଅୟୋଜିତ ହୋଇଥିବା ୬୧ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀରେ ଉଦବୋଧନ ଦେବା ଅବସରରେ ଡଃ ଶର୍ମା କହିଛନ୍ତି, “ରାଜ୍ୟରେ ଶାନ୍ତି ଓ ଶୃଙ୍ଖଳାର ସହିତ କିପରି ନିର୍ବାଚନ ଅନୁଷ୍ଠିତ ହେବ ସେନେଇ ଓଡ଼ିଶା ପୋଲିସ ପକ୍ଷରୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।”

ଏସମ୍ପର୍କରେ ଡ଼ିଜିପି ଆହୁରିମଧ୍ୟ କହିଛନ୍ତି ଯେ, ବାମପନ୍ଥୀ ଉଗ୍ରବାଦ (ଏଲଡବ୍ଲ୍ୟୁଇ) ନକ୍ସଲ ଉପଦ୍ରୁତ ଜିଲ୍ଲାମାନଙ୍କରେ ପୋଲିସ ପକ୍ଷରୁ ମାଓବାଦୀ ଦମନ ଅଭିଯାନକୁ ଆହୁରି ସକ୍ରୀୟ କରାଯିବ ।

ସେ ଆହୁରି ମଧ୍ୟ କହିଛନ୍ତି, “ ମାଓବାଦୀମାନଙ୍କର ଆନ୍ଦୋଳନ ଉପରେ କଡ଼ା ନଜର ରଖାଯିବା ସହିତ ଗୁଇନ୍ଦା ନେଟୱର୍କକୁ ଅଧିକ ମଜବୁତ କରିବା ଲାଗି ପଡ଼ୋଶୀ ରାଜ୍ୟ ପୋଲିସ କର୍ତ୍ତୃପକ୍ଷଙ୍କ ସହିତ ଘନିଷ୍ଠ ସମ୍ପର୍କ ସ୍ଥାପନ କରାଯିବାକୁ ପ୍ରାଥମିକତା ଦିଆଯିବ ।”

ପୋଲିସ ଅଧିକାରୀମାନଙ୍କୁ ସମ୍ବୋଧିତ କରିବା ଅବସରରେ ପରାମର୍ଶ ଦେଇ ଡ଼ିଜିପି କହିଛନ୍ତି, ନିଜ ନିଜ କର୍ତ୍ତବ୍ୟରେ ପାରଦର୍ଶିତା ରଖିବା ସହିତ ଜନସାଧାରଣଙ୍କ ସହଯୋଗ ନେବା ଆବଶ୍ୟକ ।

ସେ ନୂଆ ଆଇପିଏସ ଅଧିକାରୀମାନଙ୍କୁ ଲୋକମାନଙ୍କ ବିଶ୍ୱାସ ଜିଣିବାକୁ ପ୍ରୋତ୍ସାହିତ କରିଥିଲେ ।

ଏହି ୩ ଦିନିଆ ସମ୍ମିଳନୀରେ ସମସ୍ତ ଜିଲ୍ଲାର ଏସପି, ଡ଼ିସିପି, ସଶସ୍ତ୍ର ପୋଲିସ ବାଟାଲିୟନର କମାଣ୍ଡାଣ୍ଟ, ରେଞ୍ଜ ଆଇଜିପି, ଡ଼ିଆଇଜିପି, ତାଲିମପ୍ରାପ୍ତ ଆଇପିଏସ ଅଧିକାରୀ, ବିଭିନ୍ନ ପ୍ରତିଷ୍ଠାନରେ କାର୍ଯ୍ୟରତ ବରିଷ୍ଠ ଅଧିକାରୀଙ୍କ ସମେତ ହୋମଗାର୍ଡ଼, ଅଗ୍ନିଶମ ବିଭାଗର କର୍ମଚାରୀ, ବେସାମରିକ ପ୍ରତିଷ୍ଠାନର ଅଧିକାରୀ, ରାଜ୍ୟ ଭିଜିଲାନ୍ସ, ଓଡ଼ିଶା ରାଜ୍ୟ ପୋଲିସ ଗୃହ ନିର୍ମାଣ ଓ କଲ୍ୟାଣ ବିଭାଗ, କାରାଗାର ପ୍ରତିଷ୍ଠାନ ଏବଂ ଓଏଚଆରସି ବିଭାଗ ଗୁଡ଼ିକ ଅଂଶଗ୍ରହଣ କରିଥିଲେ ।

ଆସନ୍ତା ୧୯ ତାରିଖରେ ହେବାକୁ ଥିବା ଉଦଯାପନୀ ଉତ୍ସବରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.