Latest Odisha News

BREAKING NEWS

୧୯୯୯ ମସିହା ମହାବାତ୍ୟାକୁ ପୁରିଲା ୨୧ ବର୍ଷ; ଆଜିବି ମନରୁ ଲିଭିନାହିଁ ସେହି ଭୟଙ୍କର ବିଭୀଷିକା

ଭୁବନେଶ୍ୱର: ୧୯୯୯ ମସିହାର ପ୍ରଳୟଙ୍କରୀ ମହାବାତ୍ୟାକୁ ଆଜି ପୁରିଛି ୨୧ ବର୍ଷ। ପ୍ରକୃତିର ଏହି ତାଣ୍ଡବକୁ ଦୁଇ ଦଶନ୍ଧିରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା ଆଜିବି ଲୋକଙ୍କ ମନରୁ ଲିଭି ନାହିଁ ମହାବାତ୍ୟାର ସେହି ଭୟଙ୍କର ବିଭୀଷିକାର ଦୃଶ୍ୟ।

୧୯୯୯ ମସିହା ଅକ୍ଟୋବର ୨୯ ତାରିଖ। ଓଡ଼ିଶା ଉପରେ ସତେ ସେପରି ଦାଉ ସାଧିଲା ପ୍ରକୃତି। ସକାଳୁ ସକାଳୁ ଆରମ୍ଭ କରିଦେଲା ତାଣ୍ଡବ ଲୀଳା। ପ୍ରକୃତିର ଏହି କରାଳ ଆଁ ରେ ନିଃଶ୍ଚିହ୍ନ ହୋଇଯାଇଥିଲା ଓଡିଶା। ଚାରିଆଡେ ଖାଲି କୁଢ କୁଢ ଶବ ଆଉ ଶବ। ଧରାଶାୟୀ ହୋଇ ରହିଥାଏ ଆକାଶ ଛୁଆଁ ବୃକ୍ଷ।

ସାରା ଓଡ଼ିଶାରେ ଏହି ବାତ୍ୟା ତାଣ୍ଡବ ରଚିଥିବା ବେଳେ ଜଗଗସିଂହପୁର ଜିଲ୍ଲାର ଏରସେମା ଓ ବାଲିକୁଦାରେ ଏହା ନିଜର ଉଗ୍ରତାର ସବୁ ସୀମା ଟପିଯାଇଥିଲା।

ଘଣ୍ଟାପ୍ରତି ୨୬୦ ରୁ ୩୦୦ କିଲୋମିଟର ବେଗରେ ପବନ ବୋହିଥିଲା। ସରକାରୀ ରିପୋର୍ଟ ଅନୁଯାୟୀ ପାଖାପାଖି ଦଶ ହଜାର ଲୋକଙ୍କର ଏଥିରେ ମୃତ୍ୟୁ ହୋଇଥିଲା ଓ ପନ୍ଦର ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। ଓଡ଼ିଶାର ସବୁ ଅଞ୍ଚଳରେ ଏହାର ପ୍ରଭାବ ପଡିଥିବା ବେଳେ ୧୪ ଟି ଜିଲ୍ଳା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିଲା।

ବାତ୍ୟାର କରାଳ ରାତି ପରେ ଏହାର ପରଦିନର ଦୃଶ୍ୟ ଥିଲା ହୃଦୟ ବିଦାରକ।ଜଗତସିଂହପୁର,ପୁରୀ,କଟକ,କେନ୍ଦ୍ରାପଡା, ଖୋର୍ଦ୍ଦା ଜିଲ୍ଲାରେ ଚାରିଆଡେ ଖାଲି ପଡି ରହିଥିଲା କୁଢ଼ କୁଢ ଶବ। ମହାବାତ୍ୟାର ଏହି କରାଳ ରୁପକୁ ଯିଏ ଦେଖିଛି ସେ ଆଜି ଯାଏଁ ଏହାକୁ ମନରୁ ପାଶୋରି ପାରି ନାହିଁ।

ଅକ୍ଟୋବର ୨୯ ତାରିଖ ଆସିଲେ ହିଁ ମନେପଡେ ସେହି କାଳ ରାତ୍ରିର ଭୟଙ୍କର ଦୃଶ୍ୟ। ଆଉ ଆଜି ତାର ଠିକ ୨୧ ବର୍ଷ ପରେ ମନେପଡିଲେ ସେହି ବାତ୍ୟାର ତାଣ୍ଡବ ଲିଳାକୁ ଅତି ନିକଟରୁ ଦେଖିଥିବା ଲୋକଙ୍କ ଆଖିରେ ଜକେଇ ଆସେ ଲୁହ।

ଏହି ୨୧ ବର୍ଷ ମଧ୍ୟରେ ରାଜ୍ୟରେ ଅନେକ କିଛି ପରିବର୍ତ୍ତନ ହୋଇଛି, ଅନେକ ଘାତ ପ୍ରତିଘାତ ଦେଇ ଆଗେଇଛି ଓଡ଼ିଶା। ମହାବାତ୍ୟା ପରି ଆହୁରି ଅନେକ ବାତ୍ୟାକୁ ସାମ୍ନା କରିଛି ତଥାପି ମଧ୍ୟ ଅଣ୍ଟା ସଳଖି ଛିଡା ହୋଇଛି। ସେଦିନର ମହାବାତ୍ୟାରେ ଭାଙ୍ଗିପଡିଥିବା ଲୋକେ ଯେପରି ଆଜି ଜୀଇବାର ସୁନେଲି ସ୍ୱପ୍ନ ଦେଖୁଛି ଠିକ ସେହିପରି ସେଦିନ ବାତ୍ୟାରେ ନଇଁ ପଡ଼ିଥିବା ଓଡିଶା ଆଜି ସଫଳତାର ଶୀର୍ଷକୁ ଛୁଇଁବାକୁ ନିଜର ପ୍ରୟାସ ଜାରି ରଖିଛି।

Leave A Reply

Your email address will not be published.